ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା 'ଦାନା' ଓଡ଼ିଶା ଉପକୂଳରେ ଛୁଇଁଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଥିବା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍ର କେନ୍ଦ୍ର ସ୍ଥଳ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସାମୁଦ୍ରିକ ଝଡ଼ ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଗୁରୁବାର ରାତିରୁ ଆରମ୍ଭ ହୋଇ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିଛି। ସମୁଦ୍ର ଅଶାନ୍ତ ଥିବା ବେଳେ ପ୍ରବଳ ଲହରୀ ଆସୁଛି। ଆସନ୍ତା ୨୪ ଘଣ୍ଟା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଛି। ଏଥିସହ ପାରାଦୀପଠାରୁ ଇରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର କୂଳରେ କଟକଣା ଜାରି କରାଯାଇଛି।
ବାତ୍ୟାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ମୟୂରଭଂଜ ଜିଲ୍ଲାରେ ପବନର ବେଗ ବଢ଼ିଛି। ଶତାୟୁ ବୃକ୍ଷଗୁଡ଼ିକ ଢ଼ଳିପଡ଼ିଛି। ଅମୃତଭଣ୍ଡା, କଦଳୀ, ସଜନା ଭଳି ହାଲୁକା ଗଛଗୁଡ଼ିକ ଉପୁଡିଛି। କିଛି ସ୍ତାନରେ ବଡ଼ବଡ଼ ଗଛର ଡାଳପତ୍ର ରାସ୍ତାଉପରେ ପଡ଼ି ଆବର୍ଜନା ସୃଷ୍ଟି କରିଛି। ଫଳରେ କୃତ୍ରିମ ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍ ରାସ୍ତା ସଫା କରିବାରେ ନିୟୋଜିତ ଅଛନ୍ତି।
ବାତ୍ୟା ମଧ୍ୟ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆଜି ମଧ୍ୟ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାର ପ୍ରଭାବ ଆଜି ସମଗ୍ର ରାଜ୍ୟରେ ରହିବ, କିନ୍ତୁ ଶନିବାର ସୁଦ୍ଧା ଏହାର ପ୍ରଭାବ ବହୁତ କମିଯିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଆଜି ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବାର ଆଶଙ୍କା ରହିଛି।
ଅଧିକ ପଢ଼ନ୍ତୁ: ଭିତରକନିକାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଦାନା’