ନୂଆଦିଲ୍ଲୀ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ମହାରାଷ୍ଟ୍ର ସରକାରଙ୍କୁ ଦ୍ୱାରା କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ସିବିଆଇ ଆବେଦନକୁ ତୁଚ୍ଛ କହି ବରଖାସ୍ତ କରିଛନ୍ତି ମାନ୍ୟବର ଅଦାଲତ ।
ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦୁଇ ବିଚାରପତି ବି ଆର ଗବାଇ ଏବଂ କେବି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରିଛନ୍ତି । ବମ୍ବେ ହାଇକୋର୍ଟର ରାୟକୁ ବିରୋଧ କରି ସିବିଆଇ ରିୟାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଲୁକ୍ ଆଉଟ୍ ନୋଟିସ୍ ପାଇଁ ଅପିଲ କରିଛନ୍ତି । ମାତ୍ର କୋର୍ଟ ଏହି ପିଟିସନକୁ ଖାରଜ କରି ଅନେକ ଭର୍ସ୍ଚନା କରିଛନ୍ତି । ଏହା ଏକ ହାଇପ୍ରୋଫାଇଲ୍ କେସ୍ ହୋଇଥିବାରୁ ପିଟିସନ୍ ଦାଖଲ କରାଯାଇଛି, ଯାହାକି ତୁଚ୍ଛ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ ତାଙ୍କ ପରିବାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ସିବିଆଇଙ୍କ ପକ୍ଷ ଓକିଲ ମାମଲାକୁ ଆଗକୁ ବଢ଼ାଇବାକୁ କହିବାରୁ କୋର୍ଟ ଏମିତି କହି ତିରସ୍କାର କରିଛନ୍ତି । ଫଳରେ ରିୟା ଏବଂ ତାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି ମିଳିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ ଦେହ ତାଙ୍କର ମୁମ୍ବାଇ ସ୍ଥିତ ଭଡ଼ା ଘରୁ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିଥିବା ପୁଲିସ କହିଥିଲା । ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ବିହାରର ପାଟନାରେ ହତ୍ୟା ଅଭିଯୋଗ କରାଯାଇଥିଲା । ଏହି ହାଇପ୍ରୋଫାଇଲ୍ ମୃତ୍ୟୁ ମାମଲା ଯେତେବେଳେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ରିୟା ଚକ୍ରବର୍ତ୍ତୀ, ବାପା ଲେଫ୍ଟନାଣ୍ଟ କର୍ଣ୍ଣେଲ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀ ଏବଂ ଭାଇ ସୌବିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା ।