କେନ୍ଦ୍ରାପଡା : ବାତ୍ୟା “ଦାନା”ର ପ୍ରଭାବ ଏବେ ହ୍ରାସ ପାଇଥିବା ବେଳେ ପବନ ଓ ବର୍ଷାର ପ୍ରକୋପ ମଧ୍ୟ କମିଛି । ବାତ୍ୟାର ଅନେକ ପ୍ରଭାବ କେନ୍ଦ୍ରାପଡାରେ ପଡିଛି । ବାତ୍ୟାର ପ୍ରଭାବରେ କେନ୍ଦ୍ରାପଡା ରାଜନଗର ତାଳଚୁଆ ଠାରେ ବଡ଼ ବଡ଼ ଗଛଗୁଡ଼ିକ ବିଦ୍ୟୁତ ଖୁଣ୍ଟି ଓ ବିଦ୍ୟୁତ ତାର ଉପରେ ପଡ଼ିବା ଫଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି।
ତେବେ ଟିପିସିଓଡିଏଲ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ପ୍ରଭାବିତ ଅଞ୍ଚଳରେ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବର୍ଷା ସ୍ୱତେ ବିଦ୍ୟୁତ କର୍ମଚାରୀ ମାନେ ପୁନଃଉଧାର କାର୍ଯ୍ୟ ଜାରିରଖିଛନ୍ତି । ଏହାସହ ଅନେକ ଅଞ୍ଚଳରେ ଟିପିସିଓଡିଏଲ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବିଦ୍ୟୁତ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଅବଗତ କରିବା ପାଇଁ ଚବିଶ ଘଂଟିଆ ହେଲ୍ପଲାଇନ୍ ନମ୍ବର ୧୯୧୨ କୁ କଲ କରିବାକୁ ଟିପିସିଓଡିଏଲ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଅନ୍ୟପଟେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଗଣମାଧ୍ୟମକୁ ପ୍ରକାଶ କରି କହିଛନ୍ତି ଯେ ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ବିଭାଗର ଟିମ୍ ଓଡ଼ିଶା ବନ ଉନ୍ନୟନ ନିଗମର ଟିମ୍, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ସଫାକାରୀ ଦଳ ବାତ୍ୟା ପ୍ରଭାବିତ ଜିଲ୍ଲାରେ ରାସ୍ତାଘାଟ ସଫା କରି ଗମନାଗମନ ବ୍ୟବସ୍ଥାକୁ ସ୍ୱାଭାବିକ ହେବାସହ ଯେଉଁ ସବୁ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଛି ସେହି ସବୁ ସ୍ଥାନରେ ବିଦ୍ୟୁତର ପୁନଃ ସଂଯୋଗୀକରଣ କାର୍ଯ୍ୟ ଚାଲୁରହିଛି । ଶୁକ୍ରବାର ରାତିସୁଦ୍ଧା ସମସ୍ତ ସ୍ଥାନରେ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ସ୍ୱାଭାବିକ ହେବ।