ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ବରିଷ୍ଠ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ପୁଲିସ ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ବାସୁଦେବ ମଣ୍ଡଳ (ବାସୁ) । ତା ଘର ବଳିଆପଣ୍ଡା ଅଞ୍ଚଳରେ । ଘଟଣା ଦିନଠାରୁ ସେ ଫେରାର ଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ପ୍ରକାଶ ଥାଉକି, ଗତ ୧୯ ତାରିଖ ସନ୍ଧ୍ୟାରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖରେ ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ ଭାବେ ରାବିଡି ବିକ୍ରିକୁ ବାରଣ କରିବାରୁ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ଅତିରିକ୍ତ ଏସ୍ପି ସୁଶୀଲ କୁମାର ମିଶ୍ର ସୂଚନା ଦେଇଥିଲେ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।