ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରିବେ ଦୁଇ ଓଡ଼ିଆ ନେତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ଖଣ୍ଡରେ ବିଜେପି ପାଇଁ ଭୋଟ ଅପିଲ କରିବେ । ଶୁକ୍ରବାର ବିଜେପି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ନାମ ସାମିଲ ରହିଛି । ଆଉ ଏହି ତାଲିକାରେ ମୋହନ ମାଝୀଙ୍କ ନାମ ସାମିଲ ରହିଛି ।
ଝାଡ଼ଖଣ୍ଡ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ସମସ୍ତ ଦଳ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛି । ଏହାରି ମଧ୍ୟରେ ବିଜେପି ତାର ଷ୍ଟାର ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇବାକୁ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଧର୍ମେନ୍ଦ୍ର ପ୍ରଧାନ, ମୋହନ ଚରଣ ମାଝୀ, ଯୋଗୀ ଆଦିତ୍ୟ ନାଥ, ସ୍ମୃତି ଇରାନୀ ଏବଂ ଅର୍ଜୁନ ମୁଣ୍ଡା ପ୍ରମୁଖଙ୍କ ନାମ ସାମିଲ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟ ଅର୍ଥାତ ନଭେମ୍ବର ୧୩ ଏବଂ ୨୦ରେ ମତଦାନ ଅନୁଷ୍ଠିତ ହେବ । ଏହା ପରେ ନଭେମ୍ବର ୨୩ରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୮ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୫ରେ ନାମାଙ୍କନ ଦାଖଲ କରାଯିବାକୁ ଥିବାବେଳେ ଅକ୍ଟୋବର ୨୮ରେ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୩୦ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ।
ସେହିପରି ୨ୟ ପର୍ଯ୍ୟାୟ ମତଦାନ ପାଇଁ ଅକ୍ଟୋବର ୨୨ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀମାନେ ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲ କରିବେ ଏବଂ ଅକ୍ଟୋବର ୩୦ରେ ନାମାଙ୍କନ ଯାଞ୍ଚ କରାଯିବ । ନଭେମ୍ବର ୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ନଭେମ୍ବର ୨୦ରେ ମତଦାନ କରାଯାଇ ୨୩ରେ ଫଳାଫଳ ପ୍ରକାଶ ପାଇବ ।
ଚଳିତ ବର୍ଷ ଝାଡ଼ଖଣ୍ଡରେ ସମସ୍ତ ୮୧ଟି ଆସନରେ ବିଧାନସଭା ନିର୍ବାଚନ ହେବ । ୨.୬ କୋଟି ମତଦାତା ନିଜର ମତ ସାବ୍ୟସ୍ତ କରିବେ । ସେଥିରୁ ମହିଳା ୧.୨୯ କୋଟି, ପୁରୁଷ ୧.୩୧ କୋଟି, ଯୁବ ୬୬.୮୪ ଲକ୍ଷ ଏବଂ ପ୍ରଥମ ଥର ଭୋଟ ଦେଉଥିବା ମତଦାତାଙ୍କ ସଂଖ୍ୟା ୧୧.୮୪ ଲକ୍ଷ ରହିଛନ୍ତି ।