ଭୁବନେଶ୍ବର: ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନ’ ସ୍ଥଳଭାଗ ଛୁଇଁଛି। ବାତ୍ୟାର କେନ୍ଦ୍ରସ୍ଥଳ ସ୍ଥଳଭାଗ ଅତିକ୍ରମ କରିସାରିଛି। ସମୁଦ୍ରର ଜୁଆର ଉଗ୍ରରୂପ ନେଇଥିବା ବେଳେ ବର୍ଷା ଜାରି ରହିଛି। ବିଶେଷ ଭାବରେ ଭିତରକନିକା ଠାରୁ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବର୍ଷାର ତାଣ୍ଡବ ରଚିଛି। ପବନର ବେଗ ଘଣ୍ଟା ପିଛା ୧୦୦କିମିରୁ ଅଧିକ ଥିବା ଅନୁମାନ କରାଯାଉଛି।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟାର ପ୍ରଭାବ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ରହିପାରେ। ପାଣିପାଗ ବିଭାଗ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏଥିରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ରହିଛି। ଏତଦ୍ ବ୍ୟତୀତ ପାଣିପାଗ ବିଭାଗ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବର୍ଷା ନେଇ ପୂର୍ବାନୁମାନ କରିଛି।
ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି। ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘରଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ଡାଳ ପଡ଼ି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ୍ ତାର ଛିଣ୍ଡିଛି। ପିଚୁ ଓ ମାଟି ରାସ୍ତା ଧୋଇଯାଇଛି। ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁଛି ତାହା ନିକଟରେ ଗଛ ଉପୁଡ଼ିବା ସହ ଡାଳ ଭାଙ୍ଗି ପଡ଼ିଥିବା ନଜରକୁ ଆସିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ କଦଳୀ, ଅମୃତଭଣ୍ଡା, ସଜନା, ଚାକୁଣ୍ଡା ପରି ଗଛ ବହୁ ପରିମାଣରେ ଭାଙ୍ଗିଛି। ସେହିପରି ଅନ୍ୟ ଫସଲ ଯେପରିକି ଧାନଚାଷ ଓ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷିତି ହୋଇଛି।
ଅଧିକ ପଢ଼ନ୍ତୁ: ଆଶ୍ରୟସ୍ଥଳରେ ରାତି କାଟିଲେ ଶିଶୁ, ମହିଳାଙ୍କ ସମେତ ୫ ଲକ୍ଷ ୮୪ ହଜାର ଲୋକ