ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’ ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍ କରିଛି। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଲୋକେ ଭୟଭୀତ ଜୀବନ ଭିତରେ ସମୟ କାଟୁଥିବା ବେଳେ ଏହା ସ୍ଥଳଭାଗକୁ ସ୍ପର୍ଶ କରିବା ସହିତ ତାଣ୍ଡବ ଲୀଲା କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଥିବା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍ର କେନ୍ଦ୍ର ସ୍ଥଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ଏହି ପ୍ରଳୟଙ୍କାରୀ ବାତ୍ୟାର କେନ୍ଦ୍ରସ୍ଥଳ ସ୍ପର୍ଶ କରିଥିଲା।
ବାତ୍ୟା ସ୍ଥଳଭାଗ ଛୁଇଁଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରଠାରୁ ପ୍ରବଳ ବର୍ଷା ସହ ପବନ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ସମୁଦ୍ରରୁ ଉଚ୍ଚସ୍ତରର ଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହା ଆହୁରି କିଛି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରାଯାଉଛି। ଭଦକ ଜିଲ୍ଲା ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ବାତ୍ୟା ଠିକ୍ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଥିଲା।
ସ୍ଥଳଭାଗ ଛୁଇଁବା ସହ ‘ଦାନା’ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି। ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘରଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ଡାଳ ପଡ଼ି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ୍ ତାର ଛିଣ୍ଡିଛି। ପିଚୁ ଓ ମାଟି ରାସ୍ତା ଧୋଇଯାଇଛି। ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁଛି ତାହା ନିକଟରେ ଗଛ ଉପୁଡ଼ିବା ସହ ଡାଳ ଭାଙ୍ଗି ପଡ଼ିଥିବା ନଜରକୁ ଆସିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ କଦଳୀ, ଅମୃତଭଣ୍ଡା, ସଜନା, ଚାକୁଣ୍ଡା ପରି ଗଛ ବହୁ ପରିମାଣରେ ଭାଙ୍ଗିଛି। ସେହିପରି ଅନ୍ୟ ଫସଲ ଯେପରିକି ଧାନଚାଷ ଓ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷିତି ହୋଇଛି।
ତେବେ ବାତ୍ୟାର ଲ୍ୟାଣ୍ଡଫଲ ପକ୍ରିୟା ଜାରି ରହିଥିବାରୁ ଏବେ ପବନର ବେଗ ଘଣ୍ଟାପିଛା ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବା ସହିତ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଅବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ବିଳମ୍ବିତ ରାତିରେ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ଆଶୟସ୍ଥଳରେ ଥିବା ଲୋଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝି।
ଅଧିକ ପଢ଼ନ୍ତୁ: ଲ୍ୟାଣ୍ଡଫଲ ପ୍ରକ୍ରିୟା ଆମ୍ଭ କଲା ବାତ୍ୟା