ଭୁବନେଶ୍ବର: ବଙ୍ଗୋପସାଗରରୁ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଦାନ’ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରୀରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧିନ ଭିତରକନିକା ଜାତୀୟ ଉଦ୍ୟାନ ନିକଟ ନେଚର କ୍ୟାମ୍ପରେ ଲ୍ୟାଣ୍ଡଫଳ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଭିତରକନିକା, ଧାମରା ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ୫ ଲକ୍ଷ ୮୪ ହଜାର ଲୋକ ରାତି କାଟିଛନ୍ତି। ଏମାନଙ୍କ ମଧ୍ୟରେ ହଜାର ହଜାର ଶିଶୁ ଓ ମହିଳାମାନେ ମଧ୍ୟ ଅଛନ୍ତି।
ବାତ୍ୟା ସଂପର୍କିତ ସମୀକ୍ଷା ପରେ ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତି ୧୧ଟା ୧୫ରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଥିଲେ, ପୂର୍ବରୁ ବାତ୍ୟାସ୍ଥଳୀକୁ ସ୍ଥାନାନ୍ତରିତ ପାଇଁ ୧୦ ଲକ୍ଷ ଟାର୍ଗେଟ ରଖିଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ବାତ୍ୟାର ଦିଗ ବଦଳିବାରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା। କିନ୍ତୁ ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଗୁରୁବାର ରାତି ସୁଦ୍ଧା ୫ ଲକ୍ଷ ୮୪ ହଜାର ୮୮୮ ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି।
ସାଧାରଣ ଜନଜୀବନ ସୁରକ୍ଷା ପାଇଁ ରାଜ୍ୟର ୮୩୮୩ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ବାତ୍ୟା ସ୍ଥଳରେ ଲୋକଙ୍କୁ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି। ମା ଗୃହକୁ ୪ ହଜାର ୪୩୧ ଜଣଙ୍କୁ ସ୍ତାନାନ୍ତରିତ କରାଯାଇଥିବା ବେଳେ ୧୬୦୦ ମହିଳା ଶିଶୁ ଜନ୍ମ କରି ମା’ ହୋଇଛନ୍ତି।
ସେହିପରି ପାନୀୟ ଜଳର ଉପଯୁକ୍ତ ବ୍ୟବସ୍ଥା କରାଯାଉଛି। ଜିଲ୍ଲାଗୁଡ଼ିକରେ ଥିବା ମନ୍ତ୍ରୀ, ବିଧାୟକ ଏବଂ ଅଧିକାରୀମାନେ ସେମାନଙ୍କ ଦାୟିତ୍ବ ସୂଚାରୁ ରୂପେ ପରିଚାଳନା କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବାତ୍ୟା ସଂପର୍କିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ପ୍ରସ୍ତୁତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ: ‘ଦାନା’ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳା ବର୍ଷା ଆଶଙ୍କା