ପୁରୀ: ଓଡିଶା ଉପକୂଳରେ ଗୁରୁବାର ଧାମରା ଓ ଭିତରକନିକା ନିକଟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ ପରେ ଦୁର୍ବଳ ହୋଇଗଲା ବାତ୍ୟା 'ଦାନା'। ମହାପ୍ରଭୁଙ୍କ ଦୟାରୁ ପୁରୀ ଏହି ବାତ୍ୟାର କରାଳ ଗ୍ରାସରୁ ରକ୍ଷା ପାଇଛି। ଆଜି ସକାଳୁ ପାଣିପାଗରେ ସାମାନ୍ୟ ସ୍ଥିରତା ଆସିଛି। ବାତ୍ୟା 'ଦାନା' ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ଜାରି ହୋଇଥିଲା କଟକଣା। ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ହବିଷ୍ୟାଳି ମହିଳାମାନେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ବାତ୍ୟା ପାଇଁ ପର୍ଯ୍ୟଟକ ମାନଙ୍କୁ ସମୁଦ୍ରରେ ପ୍ରବେଶ ନିବାରଣ ସହିତ ପୁରୀ ଛାଡିବାକୁ ନିର୍ଦେଶ ଦିଆଯାଇଥିଲା। ଧୀରେ ଧୀରେ ପରିସ୍ଥିତି ସୁଧୁରୁଥିବା ବେଳେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ମାତ୍ର ସମୁଦ୍ର ଆସନ୍ତା ରହିଥିବା କାରଣରୁ ସମୁଦ୍ରରେ ପ୍ରବେଶ ତଥା ସ୍ନାନ କରିବାକୁ ବାରଣ କରାଯାଇଛି। ସେହିପରି ବାତ୍ୟା ପାଇଁ ୨ ଦିନ କୋଣାର୍କରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଆଜି ପୂର୍ବାହ୍ନ ଠାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲିଛି।