ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ପ୍ରାୟ ୧୫ ଘଣ୍ଟା ଧରି ବିମାନ ସେବା ସ୍ଥଗିତ ରଖାଯିବା ପରେ ଆଜି ପୁଣି ଏହା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆଜି ସକାଳ ୯ଟା ପରିବର୍ତ୍ତେ ସକାଳ ୮ଟାରୁ ବିମାନ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି। ବିମାନ ସେବା ଆରମ୍ଭ ହେବା ଦ୍ବାରା ଭୁବନେଶ୍ବରରେ ଫସି ରହିଥିବା ଦେଶ-ବିଦେଶର ଯାତ୍ରୀମାନେ ଆଶ୍ବସ୍ତି ଲାଭ କରିଛନ୍ତି। ସେହିପରି ବ୍ୟକ୍ତିଗତ କାମରେ ବାହାର ରାଜ୍ୟକୁ ଯିବା ପାଇଁ ବାହାରିଥିବା ଓଡ଼ିଆ ଲୋକଙ୍କୁ ମଧ୍ୟ ଏହା ଖୁସି ଖବର ଆଣି ଦେଇଛି।
ବାତ୍ୟା ପାଇଁ ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ) ପଶ୍ଚିମବଙ୍ଗ ଓ ଓଡ଼ିଶା ପାଇଁ ୪୦୦ ବିମାନ ବାତିଲ କରିଛି।। କୋଲକାତା ବିମାନ ବନ୍ଦର ଓ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ ରହିଛି। ଗୁରୁବାର ୪୦ଟି ବିମାନ ବାତିଲ କରାଯାଇଛି।
ସୂଚନାଯୋଗ୍ୟ ବାତ୍ୟା 'ଦାନା'କୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ହାଇ ଆଲର୍ଟ ଜାରି କରାଯାଇଛି। ଏଥି ପାଇଁ ଭାରତୀୟ ରେଳବାଇ ପୂର୍ବତଟ ରେଳପଥ ସମେତ ନିଜର ଅନ୍ୟ ଜୋନ୍ରୁ ପ୍ରାୟ ୭୫୦ ଟ୍ରେନ୍ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ବାତିଲ କରିଛି। ଗତ ୨୩ ତାରିଖ ଠାରୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଟ୍ରେନ୍ ଚଳାଚଳ ବାତିଲ ହୋଇଛି। ପଶ୍ଚିମବଙ୍ଗରେ ବାତ୍ୟା ପ୍ରବଣ ଅଞ୍ଚଳରୁ ଆସୁଥିବା ୫୫୦ଟି ଟ୍ରେନ୍ ଓ ଓଡ଼ିଶାରେ ୨୦୩ଟି ଟ୍ରେନ୍ ବାତିଲ କରାଯାଇଛି। ଟ୍ରେନ୍ ସେବା ଆଜି ରାତି ୧୨ଟା ପରେ ସ୍ବାଭାବିକ ହୋଇପାରେ।
ସୂଚନାଯୋଗ୍ୟ, ଭୁବନେଶ୍ବର ବିମାନବନ୍ଦରକୁ ଦୈନିକ ହାରାହାରି ୫୦ଟି ବିମାନ ଆସିଥାଏ। ସେହିପରି ଏତିକ ପରିମାଣରେ ବିମାନ ଦେଶ-ବିଦେଶକୁ ଯାଇଥାଏ। ଭୁବନେଶ୍ବର ବିମାନବନ୍ଦର ମାଧ୍ୟମରେ ଦୈନିକ ହାରାହାର ଯାତ୍ରୀ ୧୩ରୁ ୧୪ ହଜାର ଯିବାଆସିବା କରିଥାନ୍ତି। ଓଡ଼ିଶା ମଧ୍ୟରେ ଦୈନିକ ଶତାଧିକ ଟ୍ରେନ୍ ଚଳାଚଳ କରୁଛି। ଏହା ଦ୍ବାରା ଲକ୍ଷାଧିକ ଲୋକ ସୁବ୍ୟବସ୍ଥିତ ସହିତ ଯାତାୟତ କରିପାରୁଛନ୍ତି।
ଅଧିକ ପଢ଼ନ୍ତୁ: ଆଜି ଏହି ୯ଟି ଜିଲ୍ଲାକୁ ହୋଇଛି ରେଡ୍ ଆଲର୍ଟ