ବାଲେଶ୍ୱର: ରେଳ ବିଭାଗ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ବାଲେଶ୍ଵର ସହର ଅନ୍ତର୍ଗତ ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ବାଲେଶ୍ଵର ତରଫରୁ କର୍ଫ୍ୟୁ ଘୋଷଣା କରାଯାଇଛି । ଶନିବାର ଭୋର ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏବଂ ଆସନ୍ତାକାଲି ରବିବାର ଭୋର୍ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ।
କର୍ଫ୍ୟୁ ବଳବତ୍ତର ଥିବା ଅଞ୍ଚଳରେ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରିଛି ପ୍ରଶାସନ । ସମ୍ପୃକ୍ତ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅରଡ଼ବଜାର ଠାରୁ ପରିବା ମାର୍କେଟ, ହରିପୁର ଛକଠାରୁ ଦର୍ଜି ପୋଖରୀ ଛକ, କସିମିଳା ପୋଲଠାରୁ ଫୁଲାଡ଼ିଛକ ସହିତ ନୂଆବଜାର ରେଲୱେ ଫାଟକରୁ ଗୋଳାପୋଲ ଓ ନୂଆବଜାର ପରିବା ମାର୍କେଟ୍ର ଉଭୟ ପାର୍ଶ୍ୱ ରାସ୍ତାରେ ବିଏନଏସ ଧାରା 163 ଓ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମସ୍ତ ସ୍ଥାନରେ ରେଲ ବିଭାଗ ଜମିରେ ରହିଥିବା ଜବରଦଖଲକୁ ଉଚ୍ଛେଦ କରାଯିବ ।
ଏହି ଅଞ୍ଚଳରେ ରେଳ ବିଭାଗର ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସମ୍ପୃକ୍ତ ଜମିରେ ଯେଉଁମାନେ ଘର କରି ରହିଥିଲେ ସେମାନେ ପ୍ରଶାସନ ନିଷ୍ପତ୍ତିକୁ ବିରୋଧ କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବାକୁ ସମ୍ପୃକ୍ତ ସ୍ଥାନରେ କର୍ଫ୍ୟୁ ଜାରି କରି ଉଚ୍ଛେଦ କରାଯାଉଛି । ଆଜି ସକାଳୁ ବସ୍ତି ବାସିନ୍ଦା ନିଜର ଘରର ଆସବାବ ପତ୍ର ଏବଂ ଜରୁରୀ ଜିନିଷ ନେଇ ଘର ବାହାରକୁ ଆଣୁଛନ୍ତି । ଦୁଇ ଦିନ ଧରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ।