କଟକ: ଏକ ବଡ଼ ଧରଣର ସାଇବର ଠକେଇ ମାମଲାର ପର୍ଦ୍ଦାଫାଶ କରିଛି ସିଆଇଡି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆନ୍ତଃରାଜ୍ୟ ସାଇବର ଲୁଟ ଅଭିଯୋଗରେ ୨୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବିଭିନ୍ନ ରାଜ୍ୟରୁ ଏମାନଙ୍କୁ ଗିରଫ କରାଯାଇଥିବା ନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ।
ଏଡ଼ିଜିଙ୍କ ସୂଚନା ମୁତାବକ, କିଛି ସାଇବାର ଲୁଟେରା ୱାଟସଆପରେ Kotak Investment Club ନାମରେ ଏକ ଗ୍ରୁପ କରି ରାକେଟ୍ ଚଳାଉଥିଲେ । ଏହି ଗ୍ରୁପ୍ ଜରିଆରେ କୋଟି କୋଟି ଟଙ୍କା ଠକେଇ କରିଥିଲେ । ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଥିଲେ ସାଇବର ଲୁଟେରା । ୧୦୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଲୁଟିଥିଲେ ଲୁଟେରା ।
କ୍ରାଇମବ୍ରାଞ୍ଚ ଗଠନ କରିଥିବା ୭ଟି ଟିମ ଓଡ଼ିଶାର ବାହାରେ ବିଭିନ୍ନ ରାଜ୍ୟରେ ତନାଘନା କରିଥିଲେ । ତାମିଲନାଡୁରୁ ୯ ଜଣ ଅଭିଯୁକ୍ତ, ଗୁଜୁରାଟରୁ ୮ ଓ ରାଜସ୍ଥାନରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଓଡ଼ିଶା ଅଣାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ୭ ଜଣଙ୍କୁ ଅଣାଯିବା ପରେ କୋର୍ଟ ଚାଲାଣ କରାଯିବ ।
ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ଅଭିଯୋଗକାରୀଙ୍କୁ ବର୍ତ୍ତମାନ ସୁଧା ୬.୮୦ ଲକ୍ଷ ଟଙ୍କା ଫେରସ୍ତ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଶ ମିଶ୍ର ।
ସେପ୍ଟେମ୍ବର ୨୪ ତାରିଖରେ JSPLର ଜଣେ ସିନିୟର ଅଫିସର ସାଇବର ଠକେଇର ଶୀକାର ହୋଇଥିବା ଅଭିଯୋଗ କରିଥିଲେ । ସେ Kotak Investment Club ଗ୍ରୁପରେ ଯୋଡ଼ି ହୋଇଥିଲେ । ସେ ପ୍ରେରିତ ହୋଇ ୨.୬୮ କୋଟି ଟଙ୍କା ବିନିଯୋଗ କରିଥିଲେ । ଯେତେବେଳେ ସେୟାରରେ ଟଙ୍କା ବଢ଼ି ୨୫ କୋଟି ହୋଇଥିଲା ସେ ନିଜର ଟଙ୍କା ଉଠାଇବାକୁ ଚାହିଁଥିଲେ । ସେ 23 କୋଟି ଟଙ୍କା ଉଠାଇ ପାରିବେ ବୋଲି ଗ୍ରୁପ୍ ଆଡମିନ୍ କହିଥିଲେ । ମାତ୍ର ତୁରନ୍ତ ଗ୍ରୁପ୍ ରୁ ବାହାର କରି ଦିଆଯାଇଥିଲା । ଏହା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଯାହାର ତଦନ୍ତ କରି କ୍ରାଇମବ୍ରାଞ୍ଚ ୨୪ ଜଣଙ୍କୁ ଗିରଫ କରିଛି ।