ବୌଦ୍ଧ: ପୁଣି ଥରେ ବାଣ ବିସ୍ଫୋରଣରେ ଥରି ଉଠିଛି ପୁରୁଣା କଟକ । ଶନିବାର ଅପରାହ୍ନ ୩ଟା ୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଷ୍ଟେଟ୍ ବ୍ୟାଙ୍କ କଲୋନୀଠାରେ ବାଣ ଗୋଦାମରେ ପୁଣି ବାଣ ବିସ୍ଫୋରଣ ଘଟିଛି l
କିଛି ମାସ ତଳେ ବାଣ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ବହୁ ସଂଖ୍ୟାରେ ସାଧାରଣ ଲୋକେ ଆହତ ହୋଇଥିଲେ । ଅନେକ ଘରଦ୍ୱାର ମଧ୍ୟ ବିସ୍ଫୋରଣରେ ଭାଙ୍ଗି ଯାଇଥିଲା l ପୋଲିସ୍ ଟ୍ରକ ଟ୍ରକ ପରିମାଣର ବାଣ ଜବତ କରିଥିଲା l ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟିକୁ ପୋଲିସ୍ ଗିରଫ କରି ଜେଲ୍ ପଠାଇ ଥିଲା l
ଆଲୋକ ଜାମିନରେ ଆସିବା ପରେ ପୁଣି ବାଣ ବ୍ୟବସାୟ ଆରମ୍ଭ କରିଛି ଓ ଆଜି ତାଙ୍କ ଘରର ଉପର ମହଲାରେ ଥିବା ବାଣ ଗୁଡିକ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା ଓ ଲୋକେ ଭୟଭୀତ ହୋଇ ଏଣେ ତେଣେ ଦଉଡି ଥିଲେ । ଖବର ପାଇ ପୁରୁଣା କଟକ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟିକୁ ଥାନାକୁ ନେଇ ଅଟକ ରଖି ପଚରା ଉଚୁରା କରୁଛି । ଆଜିର ବାଣ ବିସ୍ଫୋରଣ ଘଟଣାରେ କେତେ ଜଣ ଆହତ କିମ୍ବା ଗୁରୁତର ହୋଇଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ l