ଭୁବନେଶ୍ୱର: ଏଣିକି କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକେଟରେ ଆସିବ ମଦ । ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ହେବ । ଏ ନେଇ ବିଧାନସଭାରେ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ବିଜେଡ଼ିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ କାଚ ମଦ ବୋତଲକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି । କାଚ ବୋତଲରେ ମଦ୍ୟପମାନେ ମଦ ପିଇ ପୋଖରୀ, ନଦୀ, ନାଳ ଆଦି ସର୍ବସାଧାରଣ ସ୍ଥାନରେ ଫିଙ୍ଗି ଦେଉଛନ୍ତି । ଫଳରେ ଭଙ୍ଗା କାଚ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ତେଣୁ କାଚ ବୋତଲ ପରିବର୍ତ୍ତେ ଅନ୍ୟ ସାମଗ୍ରୀ ଯଥା ପ୍ଲାଷ୍ଟିକ୍ କିମ୍ବା କ୍ଷତିକାରକ ନ ହେବା ଭଳି ଅନ୍ୟ କୌଣସି ବୋତଲରେ ମଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେବେ କି ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଅବକାରୀ ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ
ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ କାଚ ବୋତଲରେ ବିକ୍ରୟ ହେଉଥିବା ସମ୍ପର୍କରେ ମଦ୍ୟପାନ ପରେ ପୋଖରୀ ଘାଟ, ନଦୀ ତୁଠ, ନାଳ ଓ ଚାଷ ଜମିରେ ମଦ ବୋତଲ ଭାଙ୍ଗି କାଚ ଫିଙ୍ଗା ଯାଇ ଲୋକମାନେ ଆହତ ହେଉଥିବା ବିଷୟରେ ସରକାରଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି । ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ । ଏହା ସହିତ, ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର (ରିସାଇକ୍ଲିଂ) ପାଇଁ ଉତ୍ସାହିତ କରୁଛନ୍ତି ।