ଭୁବନେଶ୍ୱରରେ: ରାଜ୍ୟରେ ପ୍ରାୟ ୧୯ ହଜାରରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନାହିଁ । ଏ ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ତର ରଖିଛନ୍ତି ।
ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ରାଜ୍ୟରେ କେଉଁ ଜିଲ୍ଲାରେ କେତୋଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି ଏବଂ କେତୋଟିର ନିଜସ୍ୱ ଗୃହ ନାହିଁ ପ୍ରଶ୍ନ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜ୍ୟରେ ସମୁଦାୟ ୭୪,୨୨୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ଅଛି । ତନ୍ମଧ୍ୟରୁ ୧୯,୧୪୫ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ବାଲେଶ୍ୱରରେ ସର୍ବାଧିକ ୧୭୦୧ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ବାଲେଶ୍ୱର ତଳକୁ କଟକରେ ୧୩୧୦, ମୟୁରଭଞ୍ଜରେ ୧୨୦୨, ସୁନ୍ଦରଗଡ଼ରେ ୧୧୪୫, ଗଞ୍ଜାମରେ ୧୧୨୦ ଏବଂ ପୁରୀରେ ୧୦୪୮ ଗୋଟି ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନାହିଁ । ସେହିପରି ଅନ୍ୟସମସ୍ତ ଜିଲ୍ଲାରେ ମଧ୍ୟ ଏପରି ଅବସ୍ଥା ରହିଛି ।
ତେବେ ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରିବା ନିମନ୍ତେ ସ୍ଥାନ ନିରୂପଣ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ମହିଳା ଓ ଶିଶୁ ବିକାଶ ବିଭାଗ, ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ସହିତ ଅନ୍ତଃ-ବିଭାଗୀୟ ସମନ୍ଵୟ ରକ୍ଷା କରି ଆବଶ୍ୟକ ଅର୍ଥ ରାଶି ମଞ୍ଜୁର କରାଯାଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।