ଭୁବନେଶ୍ୱର: ଖାନ ବ୍ରଦର୍ସଙ୍କ ଖାନଦାନି ବେପାର ଧଳା ଜହର । ଯୁବପୀଢ଼ିଙ୍କୁ ବିଷ ବିକି ରୋଜଗାର କରୁଥିଲେ ପୁଳା ପୁଳା କଳାଟଙ୍କା । ବ୍ରାଉନ ସୁଗାର ବେପାର କରିବା ଅଭିଯୋଗରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସମୀର ଖାନ, ଇରଶାଦ ଅହମ୍ମଦ ଓ ମୁନା ଖାନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।
କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ବିଶେଷ ସୂତ୍ରରୁ ଖବର ପାଇ ଖାନ ବ୍ରଦର୍ସଙ୍କୁ ଧରିଛି । ଗିରଫ ଅଭିଯୁକ୍ତ ସମୀର ଖାନ, ଇରଶାଦ ଅହମ୍ମଦ ଓ ମୁନା ଖାନ ବାଲେଶ୍ଵରରୁ ଭାୟା ଜଳେଶ୍ଵର ହୋଇ ଭୁବନେଶ୍ଵରରେ ବ୍ରାଉନ ସୁଗାର ଆଣି ବିକ୍ରି କରୁଥିଲେ । ସେମାନଙ୍କ ନିକଟରୁ ୩୭୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ସହିତ ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ଚାରୋଟି ମୋବାଇଲ ଜବତ ହୋଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଥିବାରୁ କମିଶନରେଟ୍ ପୋଲିସ୍ ଅଭିଯୁକ୍ତମାନେ କେଉଁଠାରୁ ବ୍ରାଉଁସୁଗାର ଆଣୁଥିଲେ ଏବଂ କାହାକୁ ବିକ୍ରି କରୁଥିଲେ ସେ ନେଇ ସବିଶେଷ ତଥ୍ୟ ଦେବାକୁ ମନା କରିଥିଲା ।