ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଦୁଇ ପଡ଼ୋଶୀ ରାଜ୍ୟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ପଞ୍ଜାବ ଏବଂ ଜାମୁ କଶ୍ମୀରରୁ ଭିନ୍ନ ଭିନ୍ନ ସ୍ଥାନରୁ ଆଇଇଡି ବିସ୍ଫୋରକ ଜବତ ହୋଇଛି । ଏହା ସୁରକ୍ଷାବଳ ପକ୍ଷରୁ ହାଇଆଲର୍ଟ ଜାରି କରିଦିଆଯାଇଛି ।
ପଞ୍ଜାବର ଅମୃତସରର ରେୟା ପୋଲିସ ପୋଷ୍ଟ ନିକଟରେ ଏକ ସନ୍ଦିଗ୍ଧ ବ୍ୟାଗ୍ ଦେଖାଯାଇଥିଲା । ପୋଲିସ ତୁରନ୍ତ ବୋମା ନିରୋଧକ ଟିମକୁ ଡକାଇ ଯାଞ୍ଚ କରିଥିଲା ଏବଂ ବ୍ୟାଗ ଭିତରୁ ଆଇଇଡି ମିଳିଥିଲା । ଯାହାକୁ ସୁରକ୍ଷିତଭାବେ ନିଷ୍କ୍ରିୟ କରାଯାଇଥିବା ନେଇ ଅମୃତସର ଏସଏସପି ସୋହେଲ କାସିମ ସୂଚନା ଦେଇଛନ୍ତି ।
ସେପଟେ କଶ୍ମୀରର ଗାନ୍ଦରବଲ ଜିଲ୍ଲାର ସଫାପୋରା ଅଞ୍ଚଳରୁ ଆଇଇଡି ଜବତ ହୋଇଛି । ସେନା ଏବଂ କଶ୍ମୀର ପୋଲିସ ଏହାକୁ ନିଷ୍କ୍ରିୟ କରିଛି । ଉତ୍ତର କଶ୍ମୀରରୁ ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ବିସ୍ଫୋରକ ଜବତ ହୋଇଛି । ଗତ ଗୁରୁବାର ତଙ୍ଗମାର୍ଗ ରୋଡେ ଏବଂ ବାରାମୁଲାରେ ଆଇଇଡି ମିଳିଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନୂଆଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦ ରିପୋର୍ଟ ଆସିବା ପରେ ହାଇଆଲର୍ଟରେ ରଖାଯାଇଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଦିଲ୍ଲୀରେ ଆଇଇଡି ବିସ୍ଫୋରଣ କରିବାର ବଡ଼ ଷଡ଼ଯନ୍ତ୍ର କରିଛି । ବିଶେଷକରି ଜନଗହଣଳି ପୂର୍ଣ୍ଣ ସ୍ଥାନ ଏବଂ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଇଛି । ପୁରୁଣା ଦିଲ୍ଲୀ ଚାନ୍ଦିନୀ ଚୌକ ନିକରେ ଥିବା ମନ୍ଦିରକୁ ଷଡ଼ଯନ୍ତ୍ରରେ ସାମିଲ କରାଯାଇଛି । ଫେବୃଆରୀ ୬ ତାରିଖରେ ପାକିସ୍ତାନ ଇସ୍ଲାମାବାଦର ଏକ ମସଜିଦରେ ହୋଇଥିବା ବୋମା ବିସ୍ଫୋରଣ ପରେ ଲସ୍କର-ଏ-ତୋଏବା ଭାରତକୁ ଟାର୍ଗେଟ୍ କରିଥିବା ଜଣାପଡ଼ିଛି ।
ଆତଙ୍କବାଦୀ ଆକ୍ରମଣର ରିପୋର୍ଟ ହସ୍ତଗତ ହେବା ପରେ ସମ୍ପୂର୍ଣ୍ଣ ଦିଲ୍ଲୀକୁ ହାଇଆଲର୍ଟ ଜାରି କରାଯାଇଛି । ଚାନ୍ଦିନୀ ଚୌକରେ ଥିବା ବିଭିନ୍ନ ମନ୍ଦିର, ଲାଲକିଲ୍ଲା, ଇଣ୍ଡିଆ ଗେଟ୍ ଆଦି ସ୍ଥାନ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ ହୋଇଯାଇଛି । ସମସ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଉପରେ ମଧ୍ୟ ନଜର ରଖାଯାଇଛି ।