ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଅସହିଷ୍ଣୁ ହୋଇପଡ଼ିଛନ୍ତି ବିରୋଧୀ ବିଜେଡ଼ି ଓ କଂଗ୍ରେସ । ବିଧାନସଭାକୁ ଅଚଳ କରିବାକୁ ଚାଲିଛି ପ୍ରୟାସ । ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବନ ପ୍ରତିବାଦରେ ରାଜନୀତି ତେଜିଛି । ଗଣତନ୍ତ୍ରର ହତ୍ୟା ଅଭିଯୋଗରେ ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନରେ ବିଳମ୍ବିତ ରାତିରୁ ଶୋଇ ରହି ଧାରଣା ଦେବା ପରେ ଏବେ ବିଧାନସଭା ମୁହାଁ ହୋଇଛନ୍ତି ।
ନିଲମ୍ବିତ ବିଧାୟକଙ୍କ ସହିତ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁକ ମାଷ୍ଟରକ୍ୟାଣ୍ଟିନରେ ପ୍ରଥମେ ଧାରଣା ଦେଇଥିଲେ । ଯେତେବେଳେ ବିଧାନସଭା ଗୃହ କାର୍ଯ୍ୟର ସମୟ ହୋଇଥିଲେ ସେତେବେଳେ ସମସ୍ତ ବିଧାୟକ, ବରିଷ୍ଠ ନେତୃବୃନ୍ଦ ଏବଂ ଶତାଧିକ କର୍ମକର୍ତ୍ତାଙ୍କ ସହିତ ବିଧାନସଭା ଅଭିମୁଖେ ଚାଲି ଚାଲି ଯାଇଥିଲେ । ଏହା ପରେ ବିଧାନସଭା ଗେଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏବଂ ଅନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । ନିଲମ୍ବିତ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ଯିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଲଗାତର ଦୁଇ ସପ୍ତାହ ହେବ କଂଗ୍ରେସ ବିଧାୟକମାନେ ଗୃହରେ ଅଚଳାବସ୍ଥା ଜାରି ରଖିଥିଲେ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବି କରି ବିଧାନସଭାରେ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ । ଗତ କିଛି ଦିନ ଗୃହରେ ଘଣ୍ଟ, ଘଣ୍ଟା, ତୂରୀ, ମହୁରୀ, ବଂଶୀ ବଜାଇ ପ୍ରତିବାଦ କରୁଥିଲେ । ଫଳରେ ଗୃହକୁ ଚଳାଇବା ଅସମ୍ଭବ ହୋଇ ପଡ଼ିଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ବାରାମ୍ବାର ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ନିଜ ଜିଦରେ ଅଟଳ ଥିଲା । ତେବେ ଏ ନେଇ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ଫଳରେ ବାଚସ୍ପତି ୧୨ ଜଣ ସଦସ୍ୟଙ୍କୁ ୭ ଟି କାର୍ଯ୍ୟଦିବସରୁ ନିଲମ୍ବନ କରିଛନ୍ତି । କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ସଦସ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଦ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ।