ଭୁବନେଶ୍ୱର: ଝାଡ଼ଖଣ୍ଡ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ସେଠାରେ ମଧ୍ୟ ସେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ମାଗଣାରେ ଓଡ଼ିଆ ବହି ଯୋଗାଇ ଦେବା ସହିତ ଶିକ୍ଷକଙ୍କ ଦରମା ଦୁଇ ଗୁଣ କରିଛନ୍ତି ଶ୍ରୀ ମାଝୀ ।
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଇଁବାସାରେ ଏକ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତରେ ଝାଡ଼ଖଣ୍ଡରେ ରହୁଥିବା ୪୦ ଲକ୍ଷ ଓଡ଼ିଆଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୧ ଅର୍ଜୁନ ମୁଣ୍ଡାଙ୍କ ସରକାର ଥିବାବେଳେ ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ମିଳିଥିଲା । ମାତ୍ର ସରକାର ବଦଳିବା ପରେ ଓଡ଼ିଆ ଲୋକ ଏବଂ ଓଡ଼ିଆ ଭାଷାକୁ ଉପେକ୍ଷା କରାଯାଇଛି ।
ସେହିପରି ମାଗଣାରେ ଓଡ଼ିଆ ବହି ଯୋଗାଇ ଦେବା ସହିତ ଶିକ୍ଷକଙ୍କ ଦରମା ଦୁଇ ଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଜେଡ଼ି ସରକାର ଥିବାବେଳେ ୨୦୦୭ ମସିହାରେ ବହି ଛପା ଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ଆଉ ପରିବର୍ତ୍ତନ କରାଯାଇ ନଥିଲା । ସେଥିପାଇଁ ଓଡ଼ିଶା ସରକାର ପୁନର୍ବାର ସିଲାବସରେ ପରିବର୍ତ୍ତନ କରି ଏବଂ ବହି ଛାପି ମାଗଣାରେ ଓଡ଼ିଆ ପିଲାଙ୍କୁ ବହି ଯୋଗାଇ ଦିଆଯିବ । ବିଶେଷ କରି ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ଏହି ବହି ପ୍ରଦାନ କରାଯିବ ।
ଏହା ସହିତ ଝାଡ଼ଖଣ୍ଡରେ ଓଡ଼ିଆ ପିଲାଙ୍କ ପାଇଁ ସ୍ୱତନ୍ତ୍ରଭାବେ ନିଯୁକ୍ତ ହୋଇଥିବା ଶିକ୍ଷକଙ୍କ ଦରମା ଦ୍ୱିଗୁଣିତ କରିଛନ୍ତି ମୋହନ ମାଝୀ । ପୂର୍ବରୁ ମିଳୁଥିବା ୩୦୦୦ ଟଙ୍କା ବଦଳରେ ୬୦୦୦ ଟଙ୍କା ପ୍ରଦାନ କରାଯିବ । ପୂର୍ବ ସରକାର ୩୦୦୦ ଟଙ୍କାରୁ ୪୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ମାତ୍ର ସେହି ପ୍ରତିଶ୍ରୁତି ପୂରଣ କରି ନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗତକାଲି ଜଗନ୍ନାଥପୁରଠାରେ ଦଳ ତରଫରୁ ଆୟୋଜିତ 'ପରିବର୍ତ୍ତନ ସଭା'କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନ ସଭାରେ ଲୋକଙ୍କ ଉତ୍ସାହ ପ୍ରମାଣିତ କରୁଛି ଯେ ଝାଡ଼ଖଣ୍ଡର ଜନତା ଏକ ବିରାଟ ପରିବର୍ତ୍ତନ ପାଇଁ ସଂକଳ୍ପ ନେଇ ସାରିଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସାରା ଦେଶ ଆଜି ଆତ୍ମନିର୍ଭର ଏବଂ ବିକଶିତ ହେବାରେ ଲାଗିଛି । ଝାଡ଼ଖଣ୍ଡ ମଧ୍ୟ ଅଗାମୀ ଦିନରେ ଏହି ବିକାଶର ଧାରାରେ ସାମିଲ ହେବା ପାଇଁ ସଂକଳ୍ପବଦ୍ଧ । ଯେଉଁ ଜନ ବିରୋଧୀ ସରକାର ଝାଡ଼ଖଣ୍ଡରେ ଚାଲୁଛି, ସେଭଳି ସରକାରକୁ ବିସର୍ଜନ କରିବାର ଏବେ ସମୟ ଆସିଯାଇଛି । ଝାଡ଼ଖଣ୍ଡରେ ଏକ ବିରାଟ ପରିବର୍ତ୍ତନ ଆଣିବା ସହ ଝାଡ଼ଖଣ୍ଡର ବିକାଶ ପାଇଁ ସମସ୍ତେ ସଂକଳ୍ପ ନେବା ଏବଂ ଏଥର ନୂଆ ସରକାର ଆଣିବା।