ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ କରି ୨୫ଟି ନୂତନ ବିଦ୍ୟୁତ ଚାଳିତ ବସ୍ ବା ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ନବ ନିର୍ମିତ ଅତ୍ୟାଧୁନିକ ବସ୍ ଟର୍ମିନାଲ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ବସ୍ ଟର୍ମିନାଲ୍ ଓ ବସର ରକ୍ଷଣାବେକ୍ଷଣ ପାଇଁ ମୋଟ ୨୩୮.୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଆଜି ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦର ହୋଇ ସମ୍ବଲପୁରରେ ପହଁଚିଥିଲେ । ଦୁଇ ଦିନିଆ ଗସ୍ତରେ ସର୍ବପ୍ରଥମେ ମା ସମଲେଇଙ୍କ ପୂଜାର୍ଚ୍ଚନା କରି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ପ୍ରାର୍ଥନା କରିଥିଲେ । ଏହା ପରେ ସମଲେଶ୍ୱରୀ ମନ୍ଦିର ପାର୍ଶ୍ଵରେ ଥିବା ରିଭରଫ୍ରଣ୍ଟଠାରେ ଇ-ବସର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦାନ କରି ନୂତନ ୨୫ଟି ଇଭି ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ l ପରେ ମୁଖ୍ୟମନ୍ତ୍ରୀ ନିଜେ ଇ-ବସ୍ ରେ ଟିକେଟ କାଟି ଯାତ୍ରା କରିଥିଲେ l ଏହି ଇଭି ବସ ଗୁଡିକ ସମ୍ବଲପୁର ମହାନଗର ଅନ୍ତର୍ଗତ ସମସ୍ତ ସ୍ଥାନକୁ ଯିବ l ଯାହାଫଳରେ ଲୋକଙ୍କ ଗମନା ଗମନ ପାଇଁ ବେଶ ସହାୟକ ହେବ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ସହରବାସୀଙ୍କ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ନୂତନ ବସ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଏହା ସହ ଇ-ବସ ସୁରୁଖୁରୁରେ ଚାଲିବା ସହ ପରିଚାଳନା ନେଇ ଅଇଁଠାପାଲି ନିକଟରେ ୧୩ ଏକରରୁ ଉର୍ଦ୍ଧ୍ୱ ଜମିରେ ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି । ନୂତନ ଶୁଭାରମ୍ଭ ହୋଇଥିବା ଇ-ବସ ମାନଙ୍କରେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁବ୍ୟବସ୍ଥା ରହିଛି l ଦିବ୍ୟାଙ୍ଗମାନେ ସହଜରେ ନିଜ ହୁଇଲ ଚେୟାରରେ ବସ ଭିତରକୁ ଯାଇ ପାରିବେ ଓ ବାହାରି ପାରିବେ l ବସରେ ଡିଜିଟାଲ ପେମେଣ୍ଟ ଏବଂ ରିହାତିର ବ୍ୟବସ୍ଥା ମଧ୍ୟ ରହିଛି l
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ ନେଇ ଆମ ସରକାର ସମସ୍ତ ସମ୍ବଲପୁର ସହର ସମେତ ଅନ୍ୟାନ୍ୟ ସହରରେ ଅନୁସାଙ୍ଗିକ ବ୍ୟବସ୍ଥା କରିବାର ଲକ୍ଷ୍ୟ ରଖିଛି l
ଉକ୍ତ କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।