ଭୁବନେଶ୍ୱର: ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନାଁରେ ମିଥ୍ୟା ଅପପ୍ରଚାର କରିବା ବରିଷ୍ଠ ସାମ୍ବାଦିକ ତଥା “ଫୋକସ୍ ପ୍ଲସ୍”ମାଲିକ ସୁଧାଂଶୁ ଶେଖର ରାଉତଙ୍କ ପାଇଁ ଅଡ଼ୁଆ ଧିରେ ଧିରେ ବଢ଼ିବାରେ ଲାଗିଛି । କ୍ୟାପିଟାଲ ଥାନା ପୋଲିସ “ଫୋକସ୍ ପ୍ଲସ୍” କାର୍ଯ୍ୟାଳୟରେ ଚଢ଼ଉ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରିଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟ ଅଧିକାରୀ ଆଶିଷ କୁମାର ଭୋଇ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପପ୍ରଚାର କରିବା ନେଇ ସୁଧାଂଶୁ ଶେଖର ରାଉତଙ୍କ ନାଁରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ କ୍ୟାପିଟାଲ ଥାନା ପୋଲିସ ଚ୍ୟାନେଲର ଉମରକୋଟ ପ୍ରତିନିଧି ପ୍ରୀତିରଞ୍ଜନ ଦାସଙ୍କ ବୟାନ ରେକର୍ଡ କରିଛି । ପରେ ପରେ ବରମୁଣ୍ଡାରେ ଥିବା “ଫୋକସ୍ ପ୍ଲସ୍” କାର୍ଯ୍ୟାଳୟରେ ଚଢ଼ଉ କରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ଜଉମୁଦ ଦେଇ କାର୍ଯ୍ୟାଳୟରେ ତାଲା ପକାଇଛି ପୋଲିସ ।
ଉଲ୍ଲେଖ ଯୋଗ୍ୟ, ଗତ ୧୨ ତାରିଖରେ ଏକ ନିର୍ଦ୍ଧିଷ୍ଟ ସଙ୍ଗଠନ ପକ୍ଷରୁ ବାପୁଜୀନଗରରେ ଥିବା ଏକ ହୋଟେଲରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଫୋକସ୍ ପ୍ଲସ୍ ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ ଅତିଥିଭାବେ ଯୋଗ ଦେଇଥିଲେ । ସେଠାରେ ସେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡାଙ୍କ ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରିଥିଲେ । ପୁସ୍ତକ ତ୍ରୁଟି ସମ୍ପର୍କିତ ଖବର ନ ପ୍ରସାରଣ କରିବାକୁ ମନ୍ତ୍ରୀକାଳେ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଯାଚିଥିଲା ସେ ଖୋଲା ମଞ୍ଚରେ କହିଥିଲେ । ତାଙ୍କ ଚ୍ୟାନେଲର ନବରଙ୍ଗପୁର ଜିଲ୍ଲା ଉମରକୋଟ ରିପୋର୍ଟର ପ୍ରୀତିରଞ୍ଜନ ଦାସଙ୍କ ମାଧ୍ୟମରେ ମନ୍ତ୍ରୀ ତାଙ୍କୁ ଏହି ଲାଞ୍ଚ ଟଙ୍କା ଯାଚିଥିଲେ । ସୁଧାଂଶୁ ନୂତନ ବହି ମାସେ ଭିତରେ ଛାପିକି ଦିଅ ବୋଲି ସର୍ତ୍ତ ରଖିବାରୁ ମନ୍ତ୍ରୀଙ୍କ ପକ୍ଷରୁ ଫୋନ୍ କାଟିଦିଆଯାଇଥିବା ସେ ଦାବି କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସୁଧାଂଶୁ ଏବଂ ତାଙ୍କ ରିପୋର୍ଟର ପ୍ରୀତିରଞ୍ଜନଙ୍କ ମଧ୍ୟରେ ଆଉ ଏକ ଅଡ଼ିଓ କଲ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସୁଧାଂଶୁ କହିଥିଲେ, “ହଠାତ୍ ମୋ ପାଟିରୁ ଏମିତି ବାହାରିଗଲା” ।