ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୫-୨୫ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବଜେଟ୍ ନୂତନ ଅଭିଯାନ ପାଇଁ ମଧ୍ୟ ବ୍ୟୟ ବରାଦ କରାଯାଇଛି । ବଜେଟରେ ୧୬ ନୂତନ କାର୍ଯ୍ୟକ୍ରମ ପାଇଁ ଅର୍ଥ ଆବଣ୍ଟିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ତାଙ୍କ ବଜେଟ୍ ବାକ୍ସରେ ଅନ୍ତଦ୍ୱୟ ଗୃହ ଯୋଜନା ପାଇଁ ୨୬୦୩ କୋଟି ଟଙ୍କାର ପ୍ରସ୍ତାବ ରଖିଥିବାବେଳେ ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ଓ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ସେହିପରି ବିଜେପି ସରକାର ଉତ୍ତର ଓଡ଼ିଶାର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି । ସେଥିପାଇଁ ଗଠିତ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ନିମନ୍ତେ ୨୦୦ କୋଟି ଟଙ୍କାର ପ୍ରବାଧାନ କରାଯାଇଛି ।
ଅନ୍ୟପକ୍ଷରେ ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି, ବକୁଳବନ ଉନ୍ନୟନ ପାଇଁ ୫୦ କୋଟି, ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି, ମଡେଲ ମଣ୍ଡି ପାଇଁ ୫୦ କୋଟି, ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୧୦୦ କୋଟି ଏବଂ ଓଡ଼ିଆ ପ୍ରବାସୀ ଓ-ସମ୍ପର୍କ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ୧୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଯେଉଁଥିରେ ସରକାରଙ୍କ ପକ୍ଷରୁ ସମୂହ କନ୍ୟା ବିବାହ ଆୟୋଜନ କରାଯିବ । ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ ୨୦୦ କୋଟି ପାଣ୍ଠି ରଖାଯାଇଥିବାବେଳେ ସ୍ୱଚ୍ଛ ଓଡ଼ିଶା ପାଇଁ ୨୬୧ କୋଟି, ଆମେ ପଢ଼ିବା ଆମ ଭାଷାରେ ଯୋଜନା ପାଇଁ ୨୫ କୋଟି, ଅଟଳ ବସ ଷ୍ଟାଣ୍ଡ ପାଇଁ ୧୨୬୬ କୋଟି ଏବଂ ସମୃଦ୍ଧ ସହର ପାଇଁ ୪୦୮ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି ।