ବାଲେଶ୍ୱର ଜିଲ୍ଲା ସୋର ଥାନା ଆଟପୁର ପଂଚାୟତ ହଂସୀପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଙ୍ଗନବାଡି କେନ୍ଦ୍ରରେ ଜଣେ ଅଙ୍ଗନବାଡି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ ମହିଳା ଜଣକଙ୍କ ନାଁ ସବିତା ମହାନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳେ ସବିତା ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ । ଏବଂ ଛୁଟି ହେଲା ପରେ ପିଲାମାନଙ୍କୁ ଆଣି ଘରେ ମଧ୍ୟ ଛାଡିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜଖୋଜି କରିଥିଲେ । ଶେଷରେ ଅଙ୍ଗନବାଡି କେନ୍ଦ୍ରରେ ପହଂଚିଲା ବେଳକୁ ଅଙ୍ଗନବାଡି କେନ୍ଦ୍ର ଭିତର ପଟୁ ଚାବି ପଡିଥିଲା । ଏବଂ ଚାବି ଭାଙ୍ଗିବା ପରେ ସବିତା ଫ୍ୟାନରେ ରଶି ଲଗାଇ ଝୁଲିପଡିଥିବା ଦେଖିବାକୁ ପାଇଥିଲେ । କିନ୍ତୁ ସଙ୍ଗେସଙ୍ଗେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଛିଦିନ ତଳେ ସବିତାଙ୍କ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସେବେ ଠାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଆଉ ସେଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।