ଭୁବନେଶ୍ୱର: ଚାଓମିନ ମାଗିବାରୁ ଜଣେ ନାବାଳକୁ ପିଟି ପିଟି ହତ୍ୟା ଅଭିଯୋଗରେ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ ଗିରଫ । ଯାଜପୁର ସଦର ପୁଲିସ ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି ।
ଯାଜପୁର ସଦର ଥାନା ଅଧୀନ ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଶୁକଦେବ ଦାସ ଗତ ୯ ତାରିଖ ରାତିରେ ସ୍ଥାନୀୟ ଶିବାଛକର ଏକ ଚାଓମିନ ଦୋକାନକୁ ଯାଇ ଚାଓମିନ ମାଗିଥିଲେ । ଦୋକାନୀ ଅନିଲ କୁମାର ମଲ୍ଲିକ ଶୁକଦେବଙ୍କୁ ଚାଓମିନ ଦେବାରେ ବିଳମ୍ବ କରିଥିଲେ । ଯାହାକୁ ନେଇ ଶୁକଦେବ ଓ ଅନୀଲଙ୍କ ମଧ୍ୟରେ କଥାକଟି ହୋଇଥିଲା । ସେଠାରେ ଉପସ୍ଥିତ ଥିବା ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକ ମାମଲାରେ ହସ୍ତକ୍ଷେପ କରି ଶୁକଦେବଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିଥିଲେ । ଏହା ପରେ ଶୁକଦେବ ଓ ତାଙ୍କ ପୁଅ ଶାନ୍ତନୁଙ୍କୁ ଲୁହାରଡ଼ ଏବଂ କାଠ ଫାଳିଆରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଦୋକାନୀ ଅନୀଲ ଓ ଉପାଧ୍ୟକ୍ଷ କମଳ ।
ଗୁରୁତର ଅବସ୍ଥାରେ ଶାନ୍ତନୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି।