ଭୁବନେଶ୍ୱର: ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ଗୃହ ସରଗରମ ରହିଛି । ଦୁଇ ଦିନ ହେବ ପ୍ରଶ୍ନୋତ୍ତର କାଳ ଠପ୍ ହୋଇଯାଉଛି । ଆଜି ଗଣତନ୍ତ୍ରର ପବିତ୍ର ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଏବେ ରାଜ୍ୟ ରାଜନୀତିର ପାରଦ ପୂରା ଉପରକୁ ଉଠିଯାଇଛି । ତେବେ ଏହାକୁ ନେଇ ବିଜେପି ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ ଡାକାଯାଇଛି ।
ଗୃହର ପ୍ରଶ୍ନୋତ୍ତରକାଳରେ ବିରୋଧୀ ଏବଂ ଶାସକ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଏହା ପରେ ବିଜେପିର ବିଧାୟକ ଦଳ ବୈଠକ ବସିଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ ବସିଛି । ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଇଛନ୍ତି । ଅନ୍ୟପକ୍ଷରେ ବିଜେଡ଼ି ସଦସ୍ୟମାନେ ଲଣ୍ଠନ ପ୍ରତିବାଦ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ଲଣ୍ଠନ ଧରି ପ୍ରତିବାଦ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଏବଂ ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି ପ୍ରଶ୍ନ କାଳରେ ହୋହାଲ୍ଲା କରିଥିଲେ । କଂଗ୍ରେସ ସଦସ୍ୟମାନେ ବିଜେପି ବିଧାୟକଙ୍କ ଉପରକୁ ପ୍ଲାଏ କାର୍ଡ ଫିଙ୍ଗିବା ସହିତ ନଗର ଉନ୍ନୟନ ମନ୍ତ୍ରୀଙ୍କ ମାଇକକୁ ତାରା ପ୍ରସାଦ ବାହିନୀପତି ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିଜେପି ବିଧାୟକମାନେ ଚେୟାରରୁ ଉଠି ବିରୋଧ କରିବା ଆରମ୍ଭ କରିଦେଇଥିଲେ । ଫଳରେ ଗୃହ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲେ ।