ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଅସହିଷ୍ଣୁ ହୋଇପଡ଼ିଛନ୍ତି ବିରୋଧୀ ବିଜେଡ଼ି ଓ କଂଗ୍ରେସ । ବିଧାନସଭାକୁ ଅଚଳ କରିବାକୁ ଚାଲିଛି ପ୍ରୟାସ । ସରକାର ବିରୋଧରେ ଏକାଠି ହୋଇଯାଇଛନ୍ତି ଦୁଇ ବିରୋଧୀ ଦଳ । ବିଧାନସଭା ବାହାରୁ କଂଗ୍ରେସ ବିଧାୟକମାନେ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ସେପଟେ ଭିତର ପାର୍ଶ୍ୱରୁ ବ୍ୟାରିକେଡ୍ ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଛି । ଫଳରେ ବିଧାନସଭା ସମ୍ମୁଖରେ ଏକ ରଣ କ୍ଷେତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।
ବୁଧବାର ବିଧାନସଭା ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସର ସହ ତାଳ ମିଳାଇଛି ବିଜେଡ଼ି । ବିଜେଡ଼ି-କଂଗ୍ରେସ ଅଲଗା ଅଲଗା ଥିବା ନାରା ଦେଉଥିବାବେଳେ ବିଧାନସଭାରେ କିନ୍ତୁ ବିଜେପି ସରକାର ବିରୋଧରେ ଏକ ସୂତ୍ର ଆପଣାଇଛନ୍ତି । ନିଲମ୍ବନ ପ୍ରତିବାଦରେ କଂଗ୍ରେସ ବିଧାୟକ, ବରିଷ୍ଠ ନେତୃବୃନ୍ଦ ଏବଂ କର୍ମୀମାନେ ବିଧାନସଭାର ୩ ନମ୍ବର ଗେଟ୍ ଦେଇ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଥିଲା । ସେପଟେ ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ବିଜେଡ଼ି ସଦସ୍ୟମାନେ ସରକାରୀ ଚାକିରୀରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ଦାବିରେ ନାରାବାଜି କରିବା ସହିତ କକ୍ଷ ତ୍ୟାଗ କରିଥିଲା । ଏହା ପରେ ସମସ୍ତେ ଗେଟ୍ ପାଖକୁ ଆସି ବ୍ୟାରିକେଡ୍ ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ । ଗୋଟିଏ ପଟେ କଂଗ୍ରେସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ବିଜେଡ଼ି ବାହାରକୁ ଆସିବାକୁ ଚେଷ୍ଟା କରିଥିଲା । କିଛି ସମୟ ପାଇଁ ବିରୋଧୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଜେଡ଼ି ସଦସ୍ୟମାନେ ବିଧାନସଭା ବାହାରକୁ ଆସି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତାରା-ରମେଶଙ୍କୁ ମିଳିଲା ଅନୁମତି
ଏହା ପରେ କଂଗ୍ରେସ ଦୁଇ ବିଧାୟକ ରମେଶ ଜେନା ଓ ତାରା ବାହିନୀପତିଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଗୃହ ଭିତରକୁ ପ୍ରବେଶ କରିବା ମାତ୍ରେ ପୁଣି ଥରେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରିଛନ୍ତି । ପ୍ରଶ୍ନକାଳ ଚାଲୁଥିବାବେଳେ ରିପୋର୍ଟର୍ସ ଟେବୁଲ ଉପରେ ଦୁଇ ବିଧାୟକ ଲଗାତର ଘଣ୍ଟ ବାଡ଼େଇ ଗୃହ ଅଚଳ କରିବାକୁ ଚେଷ୍ଟା କରିଛନ୍ତି । ଏଭଳି ବିଶୃଙ୍ଖଳିତ ଆଚରଣରୁ ବିରତ ରହିବାକୁ ବାଚସ୍ପତି ସୁରମା ପାଢ଼ୀ ଅନୁରୋଧ କରିଛନ୍ତି ।
ସାଂସଦ ସପ୍ତଗିରି ଉଲାକାଙ୍କ ଧାରଣା
ଏହା ପରେ ବିରୋଧ ପ୍ରଦର୍ଶନରେ ଯୋଗ ଦେଇଥିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ସେ ଭିତରକୁ ଯିବାକୁ ଅନୁମତି ମାଗିଥିଲେ । ଅନୁମତି ନ ମିଳିବାରୁ ଗେଟ୍ ସମ୍ମୁଖରେ କର୍ମୀଙ୍କ ସହିତ ଧାରଣା ଦେଇଛନ୍ତି ।