ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି ଭିସ୍ୟୁଟ୍ କୁଳପତି ।
ନିଶାଶକ୍ତ ଅବସ୍ଥାରେ ବିଶ୍ୱବିଦ୍ୟାଳୟକୁ ଆସିବା ଏବଂ ନିୟମିତ କ୍ଲାସ ନ କରିବା ସହଯୋଗୀ ପ୍ରଫେସର ଜୟପ୍ରକାଶ ପରମଗୁରୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭିସୁଟ୍ କୁଳପତି ଶୃଙ୍ଖଳଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିୟମିତ କ୍ଲାସ ନ କରିବା ଓ ନିଶା ସେବନ କରି କାର୍ଯ୍ୟାଳୟକୁ ଆସିବାକୁ ନେଇ ଜୟପ୍ରକାଶଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଅବଧି ମଧ୍ୟରେ ସେ ପାଠ ପଢାଇ ପାରିବେ ନାହିଁ । ପ୍ରତ୍ୟେକ ଦିନ ମୁଖ୍ୟ କାର୍ଯ୍ୟାଳୟରେ ହାଜିରା ପକାଇବେ । କେବଳ ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୁଳପତିଙ୍କ ବିନା ଅନୁମତିରେ ସେ ଛୁଟିରେ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ପୂର୍ବରୁ ମଧ୍ୟ ନିଶାସେବନ କରି ଆସୁଥିବାରୁ ତାଙ୍କ ବିରୋଧରେ କେତେକ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ । ସମସ୍ତ ଅଭିଯୋଗ ଆଧାରରେ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି ।