ଉଦଳା: ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩ କର୍ମଚାରୀ । ମୟୂରଭଞ୍ଜ କପ୍ତିପଦା ଥାନା ସୋନ ପୋଲରେ ଏହି ଦୁର୍ଘଟଣା ଘଟିଛି । ସୋଭାଗ୍ୟବଶତଃ ଆମ୍ବୁଲାନ୍ସରେ କେହି ରୋଗୀ ନଥିଲେ ।
ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା । ସେଠାରେ ରୋଗୀଙ୍କୁ ଛାଡି ଆମ୍ବୁଲାନ୍ସ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ସମୟରେ ସକାଳୁ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲ ନିକଟରେ ଗଛରେ ଝୁଲି ରହିଥିଲା ଆମ୍ବୁଲାନ୍ସ । ପୋଲରୁ ଆମ୍ବୁଲାନ୍ସଟି ୬୦ ଫୁଟ ତଳକୁ ଖସୁଥିବା ବେଳେ ଗଛରେ ଝୁଲି ରହିଥିଲା । ଏହି ଦୁର୍ଘଟଣାରୁ ଆମ୍ବୁଲାନ୍ସ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏନେଇ ସ୍ଥାନୀୟ ଲୋକେ, ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଖବର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କେଉଁ କାରଣରୁ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେଲା ତାହାର କାରଣ ଜଣାପଡିନାହିଁ ।