ଭୁବନେଶ୍ୱର: ମୋ ବସର ବେପରୁଆ ଗାଡ଼ି ଚାଳନା ଲୋକଙ୍କ ପାଇଁ ହେଉଛି କାଳ । ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଜଣେ ନାବାଳିକା ଉପରେ ମାଡ଼ି ଯାଇଛି ମୋ ବସ୍ । ଫଳରେ ନାବାଳିକାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ନାବାଳିକା ହେଲେ ମୁନୀ ଜୁଆଡ଼ି । ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ନନ୍ଦନକାନନ-ପଟିଆ ରାସ୍ତା ଅବରୋଧ କରିଛନ୍ତି ।
ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ୧୨ ବର୍ଷର ନାବାଳିକା ମୁନୀ ବିସ୍କୁଟ ଆଣିବାକୁ ଘରୁ ସାଇକେଲ ନେଇ ବାହାରି ଯାଇଥିଲା । କିନ୍ତୁ ଆଉ ଘରକୁ ଫେରି ନ ଥିଲା । ରାସ୍ତା ଅତିକ୍ରମ କରୁଥିବାବେଳେ ମୋ ବସ୍ ନାବାଳିକାଟିକୁ ଧକ୍କା ଦେଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ କୁନି ଝିଅଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିବା ସହିତ ୩ଟି ମୋ ବସକୁ ଅଟକ ରଖିଛନ୍ତି । ଫଳରେ ପଟିଆରୁ ନନ୍ଦନକାନନ ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପ୍ରାୟ ୩ କିଲୋମିଟର୍ ପର୍ଯ୍ୟନ୍ତ ଯାନବାହାନ ଅଟକି ରହିଛି । କେବଳ ଜରୁରୀକାଳିନ ସେବା ସହ ଛାତ୍ରଛାତ୍ରୀଙ୍କୁ ଛଡ଼ା ଯାଉଛି । ଲୋକମାନେ ବସ୍ ଉପରେ ମଧ୍ୟ ପଥର ମାଡ଼ କରିଛନ୍ତି । ମୋ ବସକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ନାବାଳିକା ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଖବରପାଇ ନନ୍ଦନକାନନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରୁଛି । ଦୁର୍ଘଟଣା ଘଟାଇବା ପରେ ବସର ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ପୂର୍ବରୁ ଅନେକ ଥର ମଧ୍ୟ ମୋ ବସ୍ ଦୁର୍ଘଟଣା ଘଟାଇଛି । ଜାନୁୟାରୀ ୨୩ ତାରିଖରେ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ ଥିବା ୟୁକୋ ବ୍ୟାଙ୍କ ସମ୍ମୁଖରେ ମୋ ବସ୍ ସିରିଜ ଦୁର୍ଘଟଣା ଘଟାଇଥିଲା । ଫଳରେ ୪ ଜଣ ଲୋକ ଆହତ ହୋଇଥିବା ବେଳେ ୩ଟି ଗାଡି କ୍ଷତିଗ୍ରସ୍ତ ହୋଇଥିଲା । ଗତ ନଭେମ୍ବର ମାସରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୋ ବସ ଧକ୍କାରେ ଜଣେ ଯୁବତୀଙ୍କର ହାତ କଟିଯାଇଥିଲା ।