ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ବାରମ୍ବାର ସାମ୍ନାକୁ ଆସୁଥିବାବେଳେ ଚେତୁ ନାହିଁ ମନ୍ଦିର ପ୍ରଶାସନ । ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ାଉଛନ୍ତି କେତେକ ଅମାନିଆ ଭକ୍ତ । କଡ଼ା ନିୟମ ସତ୍ୱେ ବାରମ୍ବାର ମୋବାଇଲ୍ ନେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଏବେ ଆଉ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଛି, ହିଡେନ୍ କ୍ୟାମେରା ଚଷମା । ଯାହାକୁ ଅତି ଚଞ୍ଚକତାରେ ଭକ୍ତମାନେ ମନ୍ଦିର ଭିତରକୁ ନେଇଯାଉଛନ୍ତି । ଏହି ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଆଜି ଶ୍ରୀମନ୍ଦିର ପରିସରରୁ ପୁଣି ଜଣେ ବ୍ୟକ୍ତିଙ୍କଠାରୁ ହିଡେନ୍ କ୍ୟାମେରା ଜବତ କରାଯାଇଛି ।
ଜଣେ ବଙ୍ଗୀୟ ବ୍ୟକ୍ତି ହିଡେନ୍ କ୍ୟାମେରା ଥିବା ଚଷମା ପିନ୍ଧି ପ୍ରବେଶ କରିଥିଲେ । ପଶ୍ଚିମ ଦ୍ୱାର ନିକଟରେ ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିଙ୍କ ଠାରୁ ଚଷମାକୁ ଜବତ କରିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ସିଂହଦ୍ୱାର ଥାନା ନେଇଛି ପୋଲିସ । ତାଙ୍କୁ ଅଟକ ରଖି ଚଷମା ଓ ମୋବାଇଲକୁ ଯାଞ୍ଚ କରୁଛି ପୋଲିସ ।
ଗତକାଲି ମଧ୍ୟ ଏକ ସମାନ ଘଟଣା ଘଟିଥିଲା । ଗୁଜୁରାଟର ବିପୁଲ ପଟେଲ ନାମକ ଜଣେ ବ୍ୟକ୍ତି ହିଡେନ୍ କ୍ୟାମେରା ଥିବା ଚଷମା ପିନ୍ଧି ମନ୍ଦିର ଭିତରେ ଫଟୋ ଉଠାଉଥିବାବେଳେ ଜେଟିପି ଧରିନେଇଥିଲେ । ସେ ତାଙ୍କର ମୋବାଇଲକୁ ହୋଟେଲରେ ରଖିଥିଲେ । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ମାମଲା ରୁଜୁ କରାଯାଇଥିଲା । ଏହା ପରେ ତତକ୍ଷଣାତ୍ ଜାମିନ ପ୍ରଦାନ କରାଯାଇଥିଲା ।
ଏହା ପୂର୍ବରୁ ଗତ ୨୯ ତାରିଖରେ ମଧ୍ୟ ଜଣେ ଯୁବକ ହିଡେନ୍ କ୍ୟାମେରା ମନ୍ଦିରର ବୁଲୁଥିବାବେଳେ ସୁରକ୍ଷାକର୍ମୀ ସନ୍ଦେହ କରି ଧରିଥିଲେ । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା । ଯୁବକ ଜଣଙ୍କ ପୁରୀ ଗଜପତି ନଗର ଅଞ୍ଚଳର ଅଭୀଷିତ କର ଥିଲେ । ପ୍ରାୟ ୪୫ ମିନିଟ୍ ଧରି ପଚରାଉଚରା କରିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଛାଡ଼ିଥିବା ଜଣାପଡ଼ିଛି ।
ତେବେ ଏଠାରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ମନ୍ଦିରକୁ ପ୍ରବେଶବେଳେ ଯାଞ୍ଚ ବ୍ୟବସ୍ଥାରେ କୋହଳ ମନୋଭାବ ରଖାଯାଉଥିବା ସନ୍ଦେହ କରାଯାଉଛି । କାରଣ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି । କିଏ ମୋବାଇଲ୍ ନେଇ ଯାଉଛି ତ ଆଉ କିଏ ସ୍ପାଏ କ୍ୟାମେରା ଚଷମା ପିନ୍ଧି ଯାଉଛନ୍ତି । ତେଣୁ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।