ନୟାଗଡ଼: ରାଜ୍ୟରେ ଡାକ୍ତରଖାନାରୁ ନବଜାତ ଶିଶୁ ପୁତ୍ର ଚୋରି ହେବା ମାମଲା ଥମିବାରେ ନାଁ ଧରୁ ନାହିଁ । ନିକଟରେ ବୁର୍ଲା ଭିମସାରରୁ ନବଜାତ ଶିଶୁ ଚର୍ଚ୍ଚା ପରିସରକୁ ଆସିଥିବାବେଳେ ପୁଣି ନୟାଗଡ଼ରୁ ଶିଶୁ ଚୋରି ଘଟଣା ସାମ୍ନାକୁ ଆସିଛି । ରଣପୁର ବ୍ଲକ ଅଧିନସ୍ଥ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହେବାର ମାତ୍ର କିଛି ସମୟ ପରେ ପୁଅ ଗାଏବ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ପରିବାର ଲୋକ ଅଭିଯୋଗ କରିଛନ୍ତି ।
ନୟାଗଡ଼ ଜିଲ୍ଲା ବୋଲଗଡ଼ ଅଞ୍ଚଳର ଗୋଡ଼ଭଙ୍ଗା ଗ୍ରାମର ବିଜୟ କୁମାର ପରିଡ଼ାଙ୍କ ଗର୍ଭବତୀ ସ୍ତ୍ରୀ ସୁଧିସ୍ମିତା ପରିଡ଼ାଙ୍କର ଗତକାଲି ପ୍ରସବ ଯନ୍ତ୍ରଣା ହୋଇଥିଲା । ଶୁକ୍ରବାର ରାତିରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଶନିବାର ପ୍ରାୟ ସକାଳ ପ୍ରାୟ ୧୦ଟାରୁ ୧୧ଟା ଭିତରେ ସୁଧିସ୍ମିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଡାକ୍ତରଖାନା କର୍ମଚାରୀଙ୍କୁ ପରିବାର ଲୋକଙ୍କୁ ଶିଶୁକୁ ଦେଖାଇଥିଲେ । ମାଆ ସୁଧିସ୍ମିତା ପୁଅର ଏକ ଫଟୋ ମଧ୍ୟ ନେଇଥିଲେ । ପୁଅ ଜନ୍ମ ହେବା ପରେ ପରିବାର ଲୋକ ବହୁତ ଖୁସି ଥିଲେ । ମାତ୍ର କିଛି ସମୟ ପରେ ପରିବାର ଲୋକଙ୍କ ଅନୁପସ୍ଥିତିରେ କେହି ଜଣେ ତାଙ୍କ ଶିଶୁକୁ କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଆସିବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ମେଡ଼ିକାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ସମ୍ବଲପୁର ବୁର୍ଲା ଭିମସାରରୁ ଏକ ନବଜାତ ଶିଶୁ ପୁତ୍ର ଚୋରି ହୋଇଥିଲା । ଛତିଶଗଡ଼ରୁ ଆସିଥିବା ଏକ ଦମ୍ପତିଙ୍କର ନବଜାତ ଶିଶୁକୁ ଜଣେ ମହିଳା ଚୋରି କରି ନେଇଥିଲେ । ପୁଲିସ ତଦନ୍ତ କରି ଶିଶୁକୁ ଉଦ୍ଧାର କରିବା ସହିତ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ କୌଣସି ସନ୍ତାନ ନ ଥିବାରୁ ପିଲା ଚୋରି କରିଥିଲେ ବୋଲି ସମ୍ବଲପୁର ଏସପି ସୂଚନା ଦେଇଥିଲେ ।