ପରିବେଶକୁ ସୁରକ୍ଷା ଏବଂ ସନ୍ତୁଳନ ରକ୍ଷା କରିବା ପାଇଁ ଯୁବପିଢିଙ୍କ ନିଆରା ପ୍ରୟାସ । ରାଖୀରୁ କିପରି ସବୁଜ ସୁନ୍ଦର ପରିବେଶ ସୃଷ୍ଟି ହେବ ସେଥିପାଇଁ ମଞ୍ଜିରୁ ରାଖୀ ତିଆରି କରିଛନ୍ତି ।
ରବିବାର ୟୁଥ ଫର ସେବା ଜାତୀୟସ୍ତରର ସାମାଜିକ ଅନୁଷ୍ଠାନର ଭୂବନେଶ୍ବର ଶାଖା ତରଫରୁ ଗଙ୍ଗନଗର ସ୍ଥିତ ସ୍ବାମୀ ବିବେକାନନ୍ଦ ଚାଟଶାଳୀରେ ବିଭିନ୍ନ ମଞ୍ଜିରେ ରୋପଣ ଯୋଗ୍ୟ ରାକ୍ଷୀ ତିଆରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା। ବର୍ତ୍ତମାନ ସମୟରେ ଧୀରେ ଧୀରେ ଗଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସ୍ନେହ, ବିଶ୍ବାସ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ମାଧ୍ଯରେ ସବୁଜ ବଳୟ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ବଜାରରେ ମିଳୁଥିବା ରାକ୍ଷୀ ମାଟିରେ ଅବକ୍ଷୟ ହୋଇପାରିବ ନାହିଁ କିନ୍ତୁ ସିଡ୍ ବା ମଞ୍ଜି ରାକ୍ଷୀ ମାଟିରେ ପଡ଼ିବା ପରେ ସେଥୁରୁ ଗଛ ଉଠିବ ।
ଏହି ରୋପଣ ଯୋଗ୍ୟ ରାକ୍ଷୀ ବା ସିଡ ରାକ୍ଷୀ ତିଆରି ପଦ୍ଧତି ଅତି ସହଜ । ଆମେ ନିଜ ନିଜ ଘରେ ମଧ୍ୟ ତିଆରି କରିପାରିବା । ସୂତା, ବୋର୍ଡ଼, ଅଠା ଏବଂ ବିଭିନ୍ନ ପ୍ରକାର ମଞ୍ଜିକୁ ବ୍ୟବହାର କରି ତିଆରି ହୋଇଥିବା ଏହି ରାକ୍ଷୀକୁ ରାକ୍ଷୀ ପୂର୍ଣ୍ଣିମା ଦିନ ସେନାଙ୍କ ହାତରେ ବନ୍ଧାଯିବ । ଏହି କାର୍ଯ୍ୟକ୍ରମରେ ୟୁଥ ଫର ସେବାର ୩୯ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କାଳିଆ, ପ୍ରଣୟ, ଶୁଭଲକ୍ଷ୍ମୀ, ଶୁଭଶ୍ରୀ, ଶୁଭସ୍ମିତା, ସାଗରିକା, ସଙ୍ଗୀତା, ଶୁଭ୍ରଂକର ଓ ପୂର୍ଣ୍ଣ ପ୍ରମୁଖ ଯୋଗଦେଇଥିଲେ । ଏଭଳି ନିଆରା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।