ପୁରୀ : ଆଜିକାଲି ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନିଶା ସେବନ ବଢ଼ିବାରେ ଲାଗିଛି। ଏମାନେ ନିଶାଦ୍ରବ୍ୟ ସେବନ କରି ନିଜ ହିତାହିତ ଜ୍ଞାନ ହରାଇ ବସୁଛନ୍ତି। ତେଣୁ ସେମାନଙ୍କ ନିଶା ଛଡ଼ାଇବା ପାଇଁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଉଛି। ତେବେ ମଙ୍ଗରାଜପୁରର ରାଇଟ ଫ୍ୟୁଚର ନିଶା ନିବାରଣରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ପୁରୀ ଚକ୍ରତୀର୍ଥ ରୋଡ ନୂଆ ସାହିର ଡି.ରାମ ମୂର୍ତ୍ତି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ମଙ୍ଗରାଜପୁର ଛକ ନିକଟରେ ରାଇଟ ଫ୍ୟୁଚର ନିଶା ନିବାରଣ ନାମକ ଏକ କେନ୍ଦ୍ରରେ ଯୁବକ ରହୁଥିଲେ। ହଠାତ୍ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ଖବର ପାଇଥିଲେ ପରିବାର ଲୋକେ ଜାଣିବାକୁ ପାଇଲେ। ହେଲେ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ସେପଟେ ନିଶା ନିବାରଣ କେନ୍ଦ୍ରରେ ମୃତ୍ୟୁ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ମୃତଦେହକୁ ଜବତ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ବାକି ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହିଁ ମୃତ୍ୟୁ ସଠିକ କାରଣ ଜଣାପଡିବ ବୋଲି ଏସଆଇ କହିଛନ୍ତି।