ନୀଳଗିରି: ଭାରସାମ୍ୟ ହରାଇ କାରକୁ ଧକ୍କା ଦେଲା ଡମ୍ପର। ଫଳରେ ଦୁର୍ଘଟଣାରେ ଦାଦା ଓ ପୁତୁରାଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ନୀଳଗିରି ଥାନା ବାଲିଗୋହିରୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଗୋବରା ଗାଁର ହରେକୃଷ୍ଣ ମହାଳିକ ଓ ଜ୍ୟୋତିଶଙ୍କର। ବାହାଘରର ପାଇଁ ବନ୍ଧୁଙ୍କୁ ଆଣିବାକୁ ଷ୍ଟେସନ ଗଲା ବେଳେ ଏହି ଅଘଟଣ ଘଟିଲା। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଗୋବରା ଗାଁର ହରେକୃଷ୍ଣଙ୍କର ବାହାଘର ଆଉ ଦୁଇଦିନ ଥିଲା। ହସଖୁସିରେ ଫାଟି ପଡୁଥିଲା ପରିବାର। ବନ୍ଧୁ, ବାନ୍ଧବଙ୍କୁ ଆଣିବାକୁ ଷ୍ଟେସନ ଯାଉଥିଲେ ଦାଦା ଓ ପୁତୁରା। ରାସ୍ତାରେ କାରକୁ ଧକ୍କା ଦେଇଥିଲା ଏକ ଡମ୍ପର। ଘଟଣାସ୍ଥଳରେ ପୁତୁରା ହରେକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦାଦାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଲାବେଳେ ଅଧାବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣା ଘଟାଇ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି। ତେଣୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।