ପୁରୀ : ଆଜି ଅଣସର ଘରୁ ଫେରିବେ ଶ୍ରୀଜିଉ । ଆସନ୍ତାକାଲି ନବଯୌବନ ଦର୍ଶନ । ଆଜି ମଧ୍ୟାହ୍ନ ଧୂପ ଭୋଗମଣ୍ଡପ ସରିଲା ପରେ ଅଣସର ଦ୍ୱାର ଫିଟିବ । ସେଠି ମହାପ୍ରଭୁଙ୍କ ଚକଟାଭୋଗ ପଣାଭୋଗ ଲାଗି ହେବ । ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କ ବନକଲାଗି ନୀତି।
ପରମ୍ପରା ଅନୁଯାୟୀ ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ଵାରା ଏହି ନୀତି ସମ୍ପନ୍ନ ହେବ । ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନର ସାନ୍ନିଧ୍ୟ ଲାଭ କରିବେ ଭକ୍ତ । ଆସନ୍ତକାଲି ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଓ ସାଢେ ୭ଟାରେ ଦଶଅବତାର ଠାକୁର ବାହୁଡା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁଙ୍କୁ ବିସର୍ଜନ କରାଯିବ । ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ । ଏହା ପ୍ରାୟ ୯ଟା ପର୍ଯ୍ୟନ୍ତ ଚାଲିବ ।