ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ୟ ୩ ଜଣ ମହାକାଶଚାରୀଙ୍କ ସହ ଅର୍ନ୍ତଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଛନ୍ତି। ଶୁଭାଂଶୁଙ୍କ ଏହି ଐତିହାସିକ ଯାତ୍ରାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି। ଭାରତୀୟ ବାୟୁସେନା ଏହି ସଫଳତାକୁ ଅଭୁଲା ମୁହୂର୍ତ୍ତ ବୋଲି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯାଏଁ ସମସ୍ତେ ଶୁଭାଂଶୁଙ୍କ ସମେତ ତିନି ଜଣ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶୁଭାଂଶଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଲେଖିଛନ୍ତି, ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିଛନ୍ତି ଶୁଭାଂଶୁ। ସମଗ୍ର ଦେଶ ଶୁଭାଂଶୁଙ୍କ ଯାତ୍ରା ପାଇଁ ଉତ୍ସାହିତ ଓ ଗର୍ବିତ। ଭାରତ, ଆମେରିକା, ପୋଲାଣ୍ଡ, ହଙ୍ଗେରୀ ଆକ୍ସିଅମ ମିଶନ ୪ରେ ସାମିଲ ହୋଇଛନ୍ତି। ମହାକାଶଚାରୀ ପ୍ରମାଣ କରିଛନ୍ତି ଯେ, ବିଶ୍ୱ ଗୋଟିଏ ପରିବାର ‘ବସୁଧୈବ କୁଟୁମ୍ବକମ୍’ ବୋଲି ରାଷ୍ଟ୍ରପତି ଲେଖିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏକ୍ସ-ପୋଷ୍ଟ ମାଧ୍ୟମରେ କହିଛନ୍ତି, "ଭାରତ, ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାର ମହାକାଶଚାରୀମାନଙ୍କୁ ନେଇ ମହାକାଶ ମିଶନର ସଫଳ ଉତ୍କ୍ଷେପଣକୁ ଆମେ ସ୍ୱାଗତ କରୁଛୁ। ଭାରତୀୟ ମହାକାଶଚାରୀ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନ କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି। ସେ ତାଙ୍କ ସହିତ ୧.୪ ବିଲିୟନ ଭାରତୀୟଙ୍କ ଇଚ୍ଛା, ଆଶା ଏବଂ ଆକାଂକ୍ଷା ବହନ କରୁଛନ୍ତି। ସଫଳତା ପାଇଁ ତାଙ୍କ ସହିତ ଥିବା ସମସ୍ତ ମହାକାଶଚାରୀଙ୍କୁ ଶୁଭକାମନା!"
ଭାରତୀୟ ବାୟୁସେନା ମଧ୍ୟ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଛି। କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଉପରେ ଟ୍ୱିଟ୍ କରି କହିଛି ଯେ, ଏହି ମିଶନ କେବଳ ଏକ ଉଡ଼ାଣ ନୁହେଁ ବରଂ ଭାରତର ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ। IAF ଲେଖିଛି,ଆକାଶରୁ ତାରା ପର୍ଯ୍ୟନ୍ତ, ଏହି ଯାତ୍ରା ଆମର ବାୟୁ ଯୋଦ୍ଧାଙ୍କ ଶକ୍ତିର ପ୍ରତୀକ। ଶୁଭାଂଶୁ ପୁଣି ଥରେ ପୃଥିବୀରୁ ତ୍ରିରଙ୍ଗା ବାହାର କରୁଛନ୍ତି। ଏହା ୪୧ ବର୍ଷ ପରେ ରାକେଶ ଶର୍ମାଙ୍କ ମିଶନ ପରି ଏକ ଐତିହାସିକ ମୁହୂର୍ତ୍ତ।