ହାଇଦ୍ରାବାଦ: ମୁସଲିମ ଚାହିଁଲେ ସିଧାସଳଖ ଏକତରଫା ସ୍ୱାମୀଠୁ ତଲାକ ନେଇ ପାରିବେ । ସ୍ୱାମୀ ନ ଚାହିଁଲେ ବି ପତ୍ନୀ ଯଦି ଅଲଗା ହେବାକୁ ଚାହୁଁଛି ତେବେ ପତ୍ନୀ ଖୁଲା ମାଧ୍ୟମରେ ତଲାକ ନେଇ ପାରିବେ । ତେଲେଙ୍ଗାନା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ମଙ୍ଗଲବାର ଏହି ରାୟ ଶୁଣାଇଛନ୍ତି । ଖୁଲା ନିୟମ ମୁସଲିମ ମହିଳାଙ୍କୁ ମିଳିଥିବା ଏକ ଅଧିକାର । ଏହି ଆଧାରରେ ମହିଳାମାନେ ତଲାକ ବା ଛାଡପତ୍ର ପାଇଁ ଆବେଦନ କରି ପାରିବେ । ପୁରୁଷ ଯେବେ ବିବାହ ସଂପର୍କ ଛିନ୍ନ କରେ ତେବେ ମୁସଲିମ ଲ ଅନୁସାରେ ଏହାକୁ ତଲାକ କୁହାଯାଏ । ଆଉ ମହିଳାଙ୍କ ପକ୍ଷରୁ କରାଯାଉଥିବା ଆବେଦନକୁ ଖୁଲା କୁହାଯାଏ । ଜଷ୍ଟିସ ମୌସମୀ ଭଟ୍ଟାଚାର୍ଯ୍ୟ ଓ ଜଷ୍ଟିସ ମଧୁସୂଦନ ରାଓଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ହାଇକୋର୍ଟ କହିଛନ୍ତି, ଖୁଲାରେ ତଲାକ ନେବା ମାମଲାରେ ମୁଫତିଙ୍କ ରାୟ କେବଳ ପରାମର୍ଶ ଆଧାରରେ ନିଆଯିବ । ମୁଫତିଙ୍କ କୌଣସି ବି କଥାକୁ ନିଷ୍ପତ୍ତି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଖଣ୍ଡପୀଠ କହିଛନ୍ତି, ବ୍ୟକ୍ତିଗତ ମାମଲାରେ କାହାରି ଦଖଲ ଭୁଲ ଅଟେ । ଯଦି କୌଣସି ମୁସଲିମ ମହିଳା ଖୁଲା ପାଇଁ ଆବେଦନ କରନ୍ତି ତେବେ ତାଙ୍କର ଆବେଦନର ପ୍ରକ୍ରିୟା ତତ୍କାଳ ଆରମ୍ଭ ହୋଇପାରେ । ପୀଠ କହିଛନ୍ତି, ମୁସଲିମ ମହିଳାଙ୍କୁ ମିଳିଥିବା ଖୁଲାର ଅଧିକାର ନିଜସ୍ୱ ଭାବେ ପୂର୍ଣ୍ଣ ଅଟେ । ଏଥିରେ ସ୍ୱାମୀ କିମ୍ବା ଅଦାଲତଙ୍କ ସହମତିର ମଧ୍ୟ ଏକ ସୀମା ରହିଛି । ଅର୍ଥାତ ଏହି ମାମଲାରେ ଅଦାଲତଙ୍କ ଭୂମିକା କେବଳ ତଲାକ ଉପରେ ମୋହର ମାରିବା, ଯଦ୍ୱାରା ଦୁଇ ପକ୍ଷଙ୍କ ପାଇଁ ଆଇନର ମାର୍ଗ ସରଳ ହେବ ।
ସୂଚନାଯୋଗ୍ୟ, ଜଣେ ମୁସଲିମ ବ୍ୟକ୍ତି ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ ଯେ, ତଲାକର ସାର୍ଟିଫିକେଟ୍କୁ ଚ୍ୟାଲେଞ୍ଜ କରିଛି । ମାତ୍ର ଫ୍ୟାମିଲି କୋର୍ଟ ମୋର ଆବେଦନକୁ ଖାରଜ କରିଛନ୍ତି । ମୁଁ ନିଜର ପତ୍ନୀଙ୍କୁ ତଲାକ ଦେବାକୁ ମନା କରିଥିଲି । ଏହି ସମୟରେ ଅଦାଲତ ଖୁଲା ନିୟମ ଉପରେ କୁରାନର ମଧ୍ୟ ଉଲ୍ଲେଖ କରିଛନ୍ତି । କୋର୍ଟ କହିଛନ୍ତି, କୁରାନରେ ଖୁଲାର ପୂର୍ଣ୍ଣ ଅଧିକାର ମହିଳାଙ୍କୁ ଦିଆଯାଇଛି । ଏଥିରେ ତଲାକ ପାଇଁ ସ୍ୱାମୀଙ୍କ ସହତମିର ଆବଶ୍ୟକତା ଥିବା ସର୍ତ୍ତ ହିଁ ନାହିଁ ।