କଟକ: କଟକରେ ବୁଧବାର ବର୍ଷା ହୋଇଛି । ବର୍ଷାରେ ସିଡିଏ ସେକ୍ଟର ୧୦ରେ ଥିବା ପିଚୁ ରାସ୍ତା ଧୋଇଯାଇଛି । ଅଳ୍ପ ସମୟ ବର୍ଷାରେ ରାସ୍ତା ଧସିବା ସହ ୫ ଫୁଟ ଓସାର ସହ ୧ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ଯାହା ଫଳରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି । ବର୍ଷା ଋତୁ ଆରମ୍ଭରୁ ସହର ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବ ବିଜେଡ଼ି ସରକାର ନିମ୍ନ ମାନର କାମ କରି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ସେପଟେ ବର୍ଷାରେ ନବ ନିର୍ମିତ ଶିଶୁ ଭବନ କୋଠା ଭାଙ୍ଗି ପଡ଼ିଛି । ତେବେ କାହାର କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ତଳେ ଥୁଆ ହୋଇଥିବା ଗାଡ଼ିଗୁଡ଼ିକ ଉପରେ କାନ୍ଥର ଭଗ୍ନାବଶେଷ ପଡ଼ିବାରୁ ଅନେକ ଗାଡ଼ି ଭାଙ୍ଗି ଚୁର ମାର ହୋଇ ଯାଇଛି । ଏପ୍ରିଲ ମାସରେ ଶିଶୁ ଭବନ ନୂତନ କୋଠାର ଉଦଘାଟନ ହୋଇଥିବାବେଳେ ମାତ୍ର ଦୁଇ ମାସରେ କାନ୍ଥ ଭାଙ୍ଗି ପଡ଼ିଛି । ନିମ୍ନ ମାନର କାମ ହୋଇଥିବା, ଲୋକେ ଅଭିଯୋଗ କରିଛନ୍ତି ।