ନୂଆଦିଲ୍ଲୀ:ରାଉରକେଲା ଇସ୍ପାତ କାରଖାନା (RSP)ର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକ୍ରିୟାରେ ଆସୁଥିବା ବାଧାବିଘ୍ନକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ନୂଆଦିଲ୍ଲୀରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏଥିରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଠକରେ ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକ ଗୁଡ଼ିକୁ ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଯାହାକୁ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଗ୍ରହଣ କରିଛନ୍ତି।
ଏହି ଉଚ୍ଚସ୍ତରୀୟ କମିଟି ଜମି ସମ୍ପର୍କିତ ସମସ୍ୟା, ଅନଧିକୃତ ଦଖଲ ହଟାଇବା ଏବଂ ଅନ୍ୟାନ୍ୟ ପ୍ରଶାସନିକ ବାଧାକୁ ଦୂର କରି ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ବୈଠକରେ ସ୍ଥାନୀୟ ସମୁଦାୟର କଲ୍ୟାଣ ସମ୍ପର୍କିତ ମୁଦ୍ଦାଗୁଡ଼ିକୁ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ସମ୍ପର୍କିତ ବାଧାବିଘ୍ନ ଦୂର କରିବା, ଅସୁବିଧା ହଟାଇବା ଏବଂ ଅମୀମାଂସିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିବା ପାଇଁ ମୋର ପରାମର୍ଶକୁ ଗ୍ରହଣ କରିଥିବାରୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଧନ୍ୟବାଦ।”
ଧର୍ମେନ୍ଦ୍ର ପ୍ରଧାନଙ୍କ ମତରେ, RSPର ସମ୍ପ୍ରସାରଣ ଭାରତର ଇସ୍ପାତ କ୍ଷେତ୍ର ତଥା ଓଡ଼ିଶା ଓ ପୂର୍ବ ଭାରତର ଶିଳ୍ପ ଓ ସାମାଜିକ-ଆର୍ଥିକ ବିକାଶ ପାଇଁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି ମଧ୍ୟ କହିଛନ୍ତି, “ଏହି ସମ୍ପ୍ରସାରଣ ଭାରତର ଇସ୍ପାତ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ, ବିଶ୍ୱ ଇସ୍ପାତ ବଜାରରେ ଭାରତର ସ୍ଥାନକୁ ସୁଦୃଢ଼ କରିବ, ଆମଦାନୀ ହ୍ରାସ କରିବ, ମୁଖ୍ୟ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ପୂରଣ କରିବ, ଓଡ଼ିଶାର ଅର୍ଥନୀତିକୁ ଉତ୍ସାହିତ କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଦୃଷ୍ଟିକୋଣ ଅନୁସାରେ ଇସ୍ପାତ ଏବଂ ସମ୍ପୃକ୍ତ କ୍ଷେତ୍ରରେ ବୃହତ୍ ପରିମାଣରେ ନିଯୁକ୍ତି ସୃଷ୍ଟି କରିବ।”
ସେହିପରି କେନ୍ଦ୍ର ମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, “ଆମେ ଏକ ରଚନାତ୍ମକ ଓ ସମାଧାନମୁଖୀ ଆଲୋଚନା କରିଛୁ। ଉଠାଯାଇଥିବା ସମସ୍ତ ମୁଦ୍ଦାକୁ ଅତ୍ୟନ୍ତ ଗମ୍ଭୀରତାର ସହ ପରୀକ୍ଷା କରାଯିବ ଏବଂ ସମସ୍ତ ହିତାଧିକାରୀଙ୍କ ସହ ସମନ୍ୱୟ କରି ଉଚିତ ପଦକ୍ଷେପ ନିଆଯିବ। ଇସ୍ପାତ କ୍ଷେତ୍ରର ବୃଦ୍ଧି ସ୍ଥାନୀୟ ଜନଗଣଙ୍କ ପାଇଁ ସମୃଦ୍ଧି ଆଣିବ ବୋଲି ଆମେ ପ୍ରତିଶ୍ରୁତିବଦ୍ଧ।”