ଭୁବନେଶ୍ୱର: ବର୍ତ୍ତମାନ ସାଇବର ଅପରାଧ ଅହେତୁକଭାବେ ବୃଦ୍ଧି ପାଇଛି । ଏବେ ସାଇବର ଅପରାଧୀଙ୍କ ଆଉ ଏକ ସହଜ ଉପାୟ ହୋଇଛି ହୋଟେଲ୍ ବୁକିଂ । ନକଲି ହୋଟେଲ୍ ବୁକିଂରେ କମ୍ ଟଙ୍କାର ପ୍ରଲୋଭନ ଦେଖାଇ ଅସାଧୁ ଉପାୟରେ ଖାଲି କରିଦେଉଛନ୍ତି ବ୍ୟାଙ୍କ୍ ଆକାଉଣ୍ଟ । ରାଜ୍ୟ କ୍ରାଇମବ୍ରାଞ୍ଚ ନିକଟକୁ ଏପରି ୩୧୭ଟି ଅଭିଯୋଗ ଆସିଛି । ଏଭଳି ନକଲି ୱେବ୍ ସାଇଟ୍ ଓ ସୋସିଆଲ୍ ମିଡ଼ିଆ ପେଜ୍ ଠାରୁ ସତର୍କ ରହିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ସୂଚାଇ ଦେଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ନକଲି ସାଇଟ୍ ଓ ସୋସିଆଲ୍ ମିଡିଆ ପେଜ୍ ସମ୍ପର୍କରେ ସୂଚନା ଦିଆଯିବା ସହିତ ସେଗୁଡ଼ିକୁ ହଟାଇଦିଆଯାଇଛି ।
ବର୍ତ୍ତମାନ ରଥଯାତ୍ରା ସମୟ ଥିବାରୁ ଅନେକ ହୋଟେଲ୍ ବୁକିଂ କରାଯାଉଛି । ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ ଇତ୍ୟାଦି ସ୍ଥାନରେ ହୋଟେଲ ବୁକ୍ ହେଉଛି । କିନ୍ତୁ କିଛି ସାଇବର ଅପରାଧୀମାନେ ନକଲି ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପୃଷ୍ଠା ତିଆରି କରି ଶସ୍ତାରେ ହୋଟେଲ୍ ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଉଛନ୍ତି । ସେମାନେ ଅନଲାଇନ୍ ପେମେଣ୍ଟ ଯଥା UPI, ୱାଲେଟ୍ କିମ୍ବା ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ସମ୍ପୂର୍ଣ୍ଣ ଟଙ୍କା ନେଇ ଗ୍ରାହକଙ୍କୁ ନକଲି ନମ୍ବର ଦେଉଛନ୍ତି । କିନ୍ତୁ ଗ୍ରାହକ ସେଠାରେ ପହଁଚିବା ପରେ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଉଛନ୍ତି । କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ଏହି ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଗୁଲରେ ସର୍ଚ୍ଚ ବେଳେ ଆସୁଥିବା ଏପରି ନକଲି ସାଇଟକୁ ଚିହ୍ନଟ କରାଯାଇ ହଟାଯାଇଛି ।
କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରଲୋଭନରେ ନ ଆସିବାକୁ ପରାମର୍ଶ ଦିଆଯାଇଛି । କେବଳ ସ୍ୱୀକୃତି ପ୍ରାପ୍ତ ବୁକିଂ ପ୍ଲାଟଫର୍ମ ଯଥା ମେକ୍ ମାଇଁ ଟ୍ରିପ୍ (MakeMyTrip), ଗୋଆଇବିବୋ (Goibibo), ବୁକିଂଡଟକମ୍ (Booking.com) ଇତ୍ୟାଦିରେ ବୁକିଂ କରିବାକୁ କୁହାଯାଇଛି । ସେହିପରି ଆରମ୍ଭରୁ ସମ୍ପୂର୍ଣ୍ଣ ଟଙ୍କା ପୈଠ ନ କରିବାକୁ ମଧ୍ୟ କୁହାଯାଇଛି । ହୋଟେଲ ବାବଦରେ ପୁଙ୍ଖାନୁପୁଙ୍ଖ ଦେଖି ପରେ ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି ।
ଚିହ୍ନଟ ହୋଇଥିବା ୱେବ୍ ସାଇଟ୍ ଲିଙ୍କ୍ ହେଉଛି-
https://www.hoteldeepganga.com
https://www.mayfairheritagepuri.org
https://www.hoteltamilnadu.com
https://otdcpanthanivaspuri.in
https://www.hotelspuri.net
https://hotel-panthanivas-puri-otdc.hotelsgds.com
https://www.hotelpathanivaspuri.site
https://otdcpanthanivaspuri.co.in
www.otdcpanthanivas.in
https://panthanivaspuri.co.in
http://thehanscocopalms.in