ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ ମାସ ପରେ ସାମ୍ନାକୁ ଆସିଲେ ଲବ ହାଁସଦା। ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ ନିଜର ପ୍ରତିକ୍ରିୟା ରଖିଛନ୍ତି। ୭ ମିନିଟ ୩୧ ସେକେଣ୍ଡର ଏହି ଭିଡିଓରେ ସଲୋମିଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଉପରେ କଣ ବିତିଥିଲା ତାହା କହିଛନ୍ତି। ସେତେବେଳେ ସେ ଭିଏତନାମରେ ଥିଲେ ଏବଂ ପୁରା ଘଟଣା ପରେ ପୋଲିସକୁ ସେ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି। ଭିଡିଓରେ ଲବ କହିଛନ୍ତି, ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ସେ ମୋ ବିଷୟରେ ସବୁ କଥା ଜାଣିଥିଲେ । ସବୁ ସତ ଧୀରେ ଧୀରେ ସାମନାକୁ ଆସିଯିବ ।
ଲବ କହିଛନ୍ତି, “ଏମିତି କିଛି ମୁଁ ଭୁଲ କରିନି ଯେ ଜଣକ ଜୀବନ ଚାଲିଯିବ। ସତ ଦିନେ ନା ଦିନେ ସାମ୍ନାକୁ ଆସିବ। ମୋ ଜୀବନରେ ଏମିତି ଦିନ ଆସିବ କି ଏପରି ଭିଡିଓ କରିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି। ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି। ମୁଁ ଏତେ ବି ଖରାପ ନୁହେଁ।”
ସୂଚନାଯୋଗ୍ୟ, ଲବଙ୍କ ବାନ୍ଧବୀ ସୋଲମୀ ମୁର୍ମୁ ଜଣେ ବାଇକ ରାଇଡର। ତାଙ୍କ ଘର ବିହାରରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ। ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା। ହେଲେ ଗତ ମେ ମାସରେ ଆତ୍ମହତ୍ୟା କରିଥିଲେ ସୋଲମୀ। ଯେଉଁଥିପାଇଁ ଲବଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଏହାପରେ ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ଥିବା କଥା ସାମ୍ନାକୁ ଆସିଥିଲା। ଏନେଇ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗି ରହିଥିବା ବେଳେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଲବ ।