ଭୁବନେଶ୍ୱର: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ୫୦ ବର୍ଷ ପୂରଣ କରିଛି । କିନ୍ତୁ ଆଜି ରାଜ୍ୟରେ ସମସ୍ତ କଲେଜ ଉଠିବ ପଡ଼ିବ । କାରଣ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବେ ।
ଜରୁରୀକାଳୀନ ଘୋଷଣାକୁ ୫୦ ବର୍ଷ ପୂରଣ ଅବସରରେ ଆଜିର ଦିନକୁ ସମ୍ବିଧାନ ହତ୍ୟା ଦିବସଭାବେ ପାଳନ କରୁଛି ବିଜେପି । ଆଜି ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର ଏବଂ ପ୍ରିନ୍ସିପାଲ୍ଙ୍କୁ ଚିଠି କରାଯାଇଛି । ଏଥିରେ ରାଜନୈତିକ ବିଜ୍ଞାନର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ । ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।
ତେବେ ବିଜେପିକୁ ଟକ୍କର ଦେବାକୁ ସେପଟେ ବିଜେଡ଼ି ମଧ୍ୟ ଯୋଜନା ପ୍ରସ୍ତୁତ କରିସାରିଛି । ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଦିନକୁ ବଢ଼ୁଥିବା ଅଭିଯୋଗ କରି ବିଜେଡ଼ି ଯୁବ ଓ ଛାତ୍ର ଶାଖା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହିତ କଳାବ୍ୟାଜ୍ ପିନ୍ଧି ପିକେଟିଂ କରିବେ । ରାଜ୍ୟବ୍ୟାପୀ ସମସ୍ତ କଲେଜରେ ବିଜେଡ଼ି ପ୍ରତିବାଦ କରିବ ବୋଲି ସୂଚନା ଦିଆଯାଇଛି ।
ତେବେ ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ ସମସ୍ତ ରାଜନୈତିକ ଦଳ ବଳ କଷିବାକୁ ଚେଷ୍ଟା କରୁଛନ୍ତି ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।