କଟକ: ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଐତିହାସିକ ସହର କଟକ । ବର୍ଷାରେ ନବ ନିର୍ମିତ ଶିଶୁ ଭବନ କୋଠା ଭାଙ୍ଗି ପଡ଼ିଛି । ତେବେ କାହାର କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ତଳେ ଥୁଆ ହୋଇଥିବା ଗାଡ଼ିଗୁଡ଼ିକ ଉପରେ କାନ୍ଥର ଭଗ୍ନାବଶେଷ ପଡ଼ିବାରୁ ଅନେକ ଗାଡ଼ି ଭାଙ୍ଗି ଚୁର ମାର ହୋଇ ଯାଇଛି । ଏପ୍ରିଲ ମାସରେ ଶିଶୁ ଭବନ ନୂତନ କୋଠାର ଉଦଘାଟନ ହୋଇଥିବାବେଳେ ମାତ୍ର ଦୁଇ ମାସରେ କାନ୍ଥ ଭାଙ୍ଗି ପଡ଼ିଛି । ନିମ୍ନ ମାନର କାମ ହୋଇଥିବା, ଲୋକେ ଅଭିଯୋଗ କରିଛନ୍ତି ।
୨୦୧୬ ଫେବୃୟାରୀ ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଭବନର ନୂତନ କୋଠାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ୧୫୨.୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବହୁତଳ ବିଶିଷ୍ଟ କୋଠା । ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶା ଗସ୍ତରେ ଆସି ନବ ନିର୍ମିତ କୋଠାର ଶୁଭ ଉଦଘାଟନ କରିଥିଲେ । ଶିଶୁ ଭବନରେ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ପାଇଥିଲା । ମାତ୍ର ୨ ମାସ ପରେ ଏହି କୋଠାର କାନ୍ଥ ଭୁଷୁଡ଼ି ପଡ଼ିଛି ।
ତେଣୁ ଏଥିରୁ ଅନୁମାନ କରାଯାଇପାରେ ବିଜେଡ଼ି ସରକାର ଅମଳରେ ହୋଇଥିବା ଏହି କୋଠା କେତେ ନିମ୍ନ ମାନର ହୋଇଥିବ । କାନ୍ଥ ଭାଙ୍ଗିବା ପରେ ସାଧାରଣ ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଅତି ନିମ୍ନ ମାନର କାମ ହୋଇଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।