ଅଘୋଷିତଭାବେ ଦେଶର ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ପୂରଣ କରିଛି ଅର୍ଦ୍ଧ ଶତାବ୍ଦୀ । ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାରଙ୍କ ସୁପାରିଶରେ ଭାରତୀୟ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହାର ପରଦିନ ଅର୍ଥାତ ଜୁନ ୨୬ ତାରିଖରେ ନିଜେ ଇନ୍ଦିରା ଗାନ୍ଧୀ ରେଡ଼ିଓ ମାଧ୍ୟମରେ ସୂଚନା ଦେଇଥିଲେ । ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖରେ ଦେଶ ଏହି ଘୋଷଣାରୁ ମୁକ୍ତି ପାଇଥିଲା । ପ୍ରାୟ ୨୧ ମାସ ଧରି ଦେଶ ପୁଣି ଏକ ପରାଧିନତାର ଶୀକାର ହୋଇଥିଲା ବୋଲି କୁହାଯାଏ ।
ଅନେକ ବଡ଼ ବଡ଼ ବିରୋଧୀ ନେତା ଆନ୍ଦୋଳନକୁ ଓହ୍ଲାଇଥିଲେ । ସମସ୍ତଙ୍କୁ ଗିରଫ କରି ବନ୍ଦୀ କରି ରଖାଯାଇଥିଲା । ୫ ଜୁନ ରାତିରୁ ଦେଶରେ ବିରୋଧୀ ନେତାଙ୍କ ଗିରଫଦାରୀ ଆରମ୍ଭ ହୋଇଥିଲା । ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ଜୟପ୍ରକାଶ ନାରାୟଣ ଓ ମୋରାଜୀ ଦେସାଇଙ୍କ ଭଳି ବଡ଼ ନେତାଙ୍କୁ ଜେଲ ପଠାଯାଇଥିଲା । ଏତେ ସଂଖ୍ୟାରେ ଲୋକଙ୍କୁ ଜେଲରେ ରଖାଯାଇଥିଲା ଯେ ପରେ ଜେଲରେ ସ୍ଥାନ ହିଁ ନ ଥିଲା । ଦେଶର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା । କୌଣସି ଗଣମାଧ୍ୟମ ସରକାରଙ୍କ ବିରୁଦ୍ଧରେ ଗୋଟିଏ ଶବ୍ଦ ବି ଲେଖୁଥିଲେ ସେମାନଙ୍କୁ ଗିରଫ କରାଯାଉଥିଲା ।
କେଉଁ ପରିସ୍ଥିତିରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା?
ଜରୁରୀକାଳୀନ ପରିସ୍ଥିତିର ମୁଖ୍ୟ କାରଣ ଆହ୍ଲାବାଦ ହାଇକୋର୍ଟର ଏକ ନିଷ୍ପତ୍ତି ବୋଲି କୁହାଯାଏ। ନିଜ ଆସନ ବଞ୍ଚାଇବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ଘୋଷଣା ପାଇଁ ସୁପାରିଶ କରିଥିଲେ । ଇନ୍ଦିରା ଗାନ୍ଧୀ ୧୯୭୧ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣ ଇନ୍ଦିରାଙ୍କ ବିଜୟକୁ ପ୍ରଶ୍ନ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରାଜ ନାରାୟଣ ତାଙ୍କ ଆବେଦନରେ ଅଭିଯୋଗ କରିଥିଲେ ।
ଆହ୍ଲାବାଦ ହାଇକୋର୍ଟ ଆବେଦନର ଶୁଣାଣି କରିଥିଲେ । ୧୨ ଜୁନ ୧୯୭୫ରେ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନଲାଲ ସିହ୍ନା ସରକାରୀ କଳର ଅପବ୍ୟବହାର କରିବା ଅଭିଯୋଗରେ ପ୍ରଧାନମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ତାଙ୍କୁ ଲୋକସଭା ଆସନରୁ ବହିଷ୍କାର କରିଥିଲେ । ଆଗାମୀ ଛଅ ବର୍ଷ ପାଇଁ କୌଣସି ନିର୍ବାଚନ ଲଢ଼ିବା ଉପରେ କୋର୍ଟ ପ୍ରତିବନ୍ଧକ ଲଗାଇଥିଲେ ।
ଇନ୍ଦିରା ଗାନ୍ଧୀ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨୪ ଜୁନ୍ ୧୯୭୫ରେ, ଜଷ୍ଟିସ୍ ଭି.ଆର. କୃଷ୍ଣା ଆୟର ହାଇକୋର୍ଟର ନିଷ୍ପତ୍ତିକୁ କାୟମ ରଖିଥିଲେ । ଗାନ୍ଧୀଙ୍କୁ ସାଂସଦ ଭାବରେ ଉପଭୋଗ କରୁଥିବା ସମସ୍ତ ସୁବିଧାକୁ ସ୍ଥଗିତ ରଖିବାକୁ ଏବଂ ତାଙ୍କୁ ଭୋଟ ଦେବାରୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି, ତାଙ୍କ ଆବେଦନର ସମାଧାନ ନହେବା ପର୍ଯ୍ୟାନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।
ଇନ୍ଦିରା ସରକାର ଦେଶର ସୁରକ୍ଷା ଦ୍ୱାହି ଦେଇ ଜରୁରୀକାଳୀନ ଘୋଷଣା କରିଥିଲେ । ପାକିସ୍ତାନ ସହିତ ଯୁଦ୍ଧ ନିକଟରେ ଶେଷ ହୋଇଥିବାରୁ ସରକାର ଜାତୀୟ ସୁରକ୍ଷା ପ୍ରତି ବିପଦର କାରଣ ଦର୍ଶାଇଥିଲେ । ସେତେବେଳର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ପ୍ରଧାନମନ୍ତ୍ରୀଙ୍କୁ "ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି" ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ । ସରକାରଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ୨୫ ଜୁନ୍ ୧୯୭୫ ରାତିରେ, ମଧ୍ୟରାତ୍ରିର କିଛି ମିନିଟ୍ ପୂର୍ବରୁ ଏକ ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ।