ନୂଆଦିଲ୍ଲୀ: ଚୋରକୁ ଚପଲ ମାଳ ପିନ୍ଧାଇ ରାସ୍ତାରେ ବୁଲାଇଲା ପୋଲିସ । ଏଭଳି ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଜାମ୍ମୁ-କାଶ୍ମୀରରେ ଦେଖିବାକୁ ମିଳିଛି । ପୋଲିସର ଏହି କାର୍ଯ୍ୟାନୁଷ୍ଠାନର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ଘଟଣା ଜମ୍ମୁର ବକ୍ସିନଗର ଅଞ୍ଚଳରୁ ଆସିଛି।
ସୂଚନା ଅନୁଯାୟୀ, ପୋଲିସ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ବ୍ୟକ୍ତି ହସ୍ପିଟାଲରେ ଜଣେ ରୋଗୀଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହା ପରେ ପୋଲିସ ତାଙ୍କ ସହିତ ଯାହା କଲା ତାହା ଅମାନବୀୟ ଥିଲା। ଭାଇରାଲ ହେଉଥିବା ଘଟଣାର ଭିଡିଓରେ ପୋଲିସ ଅଭିଯୁକ୍ତଙ୍କୁ ହାତ ବାନ୍ଧି ରାସ୍ତାରେ ପାର କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ବେକରେ ଜୋତାର ହାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଭିଡିଓରେ ଅଭିଯୁକ୍ତଙ୍କୁ ଚଳନ୍ତା ପୋଲିସ ଗାଡ଼ିର ବନେଟ୍ ଉପରେ ବସିଥିବା ମଧ୍ୟ ଦେଖିବାକୁ ମିଳୁଛି।
କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତି ଔଷଧ କିଣିବା ସମୟରେ ଅଭିଯୁକ୍ତ ଜଣକ ତାଙ୍କ ଠାରୁ ୪୦,୦୦୦ ଟଙ୍କା ଲୁଟି ନେଇଥିଲା । ସେହି ବ୍ୟକ୍ତି ହସ୍ପିଟାଲ ବାହାରେ ଅଭିଯୁକ୍ତକୁ ଚିହ୍ନିପାରି ତାଙ୍କ ସହିତ ମୁକାବଲା କରିବାକୁ ଲାଗିଲେ ପରେ ଅଭିଯୁକ୍ତ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଆହାତ ହୋଇଥିଲେ ।
ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପୋଲିସର ଏହି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଛନ୍ତି। ଜମ୍ମୁ ପୋଲିସ ମଧ୍ୟ ସ୍ୱୀକାର କରିଛି ଯେ ପୋଲିସ ଟିମ୍ ର ଏଭଳି ଆଚରଣ "ଅପେସାଦାର ଏବଂ ଅନୁପଯୁକ୍ତ" ଥିଲା। ସେମାନେ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସ୍ତରର ଜଣେ ପୋଲିସ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।