ନୂଆଦିଲ୍ଲୀ: କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅପ୍ରାସଙ୍ଗିକ ଭୁଲ ଯୋଗୁଁ କାହାର ବ୍ୟକ୍ତିଗତ ସ୍ୱାଧୀନତାକୁ ଛଡ଼ାଇ ନିଆଯାଇପାରିବ ନାହିଁ । ଜଣେ ବ୍ୟକ୍ତିଙ୍କୁ ଜାମିନ ମିଳିବା ପରେ ୨୮ ଦିନରୁ ଅଧିକ ସମୟ ଧରି ଜେଲରେ ଅଟକାଇ ରଖିବାକୁ ନେଇ ଏପରି ବର୍ଷିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ନ୍ୟାୟାଧୀଶ କେବି ବିଶ୍ୱନାଥନ ଏବଂ ନ୍ୟାୟାଧୀଶ ଏନକେ ସିଂ ଗାଜିଆବାଦ ଜେଲରେ ଜଣେ କଏଦୀଙ୍କୁ ଜାମିନ ପରେ ଅଟକାଇ ରଖିବା ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି । ଏକ ସାମାନ୍ୟ ତ୍ରୁଟି ଯୋଗୁଁ ୨୮ ଦିନ ପର୍ଯ୍ୟନ୍ତ ଜେଲରେ ଅଟକାଇ ରଖିବା ୟୁପି ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ଶୁଣିବାକୁ ପଡ଼ିଛି । କୋର୍ଟ କହିଛନ୍ତି, କୌଣସି ବୈଷୟିକ ତ୍ରୁଟି ଏବଂ ଅପ୍ରସାଙ୍ଗଗିକ ଭୁଲ ପାଇଁ କାହାର ବ୍ୟକ୍ତିଗତ ସ୍ୱାଧୀନତାକୁ ଛଡ଼ାଇ ନିଆଯାଇପାରିବ ନାହିଁ । ଜାମିନ ଆଦେଶ ମିଳିବା ପରେ ଅପରାଧ ଏବଂ ଅଭିଯୁକ୍ତଙ୍କ ପରିଚୟ ସ୍ପଷ୍ଟ ହୋଇସାରିଥିବାବେଳେ ଏପରି ତ୍ରୁଟି କିପରି ହେଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । କୌଣସି ଉପଧାରା ନ ଥିବା ଯୋଗୁଁ, ଜଣଙ୍କୁ ବନ୍ଦୀ କରି ରଖିବା କ’ଣ ଏତେ ବଡ଼ କାରଣ ହୋଇପାରେ କି ? କର୍ତ୍ତବ୍ୟରେ ଏଭଳି ଅବହେଳାକୁ ଖଣ୍ଡପୀଠ ଦୃଢ଼ ନିନ୍ଦା କରିଛନ୍ତି ।
ଶୁଣାଣି ସମୟରେ ଗାଜିଆବାଦ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହୋଇଥିଲେ, ୟୁପି ଜେଲ୍ ଡିଆଇଜି ଭର୍ଚୁଆଲ୍ ଭାବରେ ହାଜର ହୋଇଥିଲେ । ଏପରି ପଦକ୍ଷେପ ନିଆଯିବାର କାରଣରେ କୁହାଯାଇଛି କି ଜାମିନ ଆଦେଶରେ ଏକ ଉପଧାରା ଉଲ୍ଲେଖ ନ ଥିଲା । କିନ୍ତୁ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇ କହିଛନ୍ତି ଅଧିକାରୀମାନଙ୍କୁ ଅପରାଧ, ଧାରା ଏବଂ ଅଭିଯୁକ୍ତଙ୍କ ପରିଚୟ ସ୍ପଷ୍ଟ ଭାବରେ ଜଣାଥିବା ସତ୍ୱେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜଣକୁ ବନ୍ଦୀ କରିବା ରଖିବା ବାହାନା ଏବଂ ଦାୟିତ୍ୱହୀନତାର ପ୍ରମାଣ ଅଟେ । ତେବେ ଜେଲ ଅଧିକାରୀମାନଙ୍କୁ ଆଗାମୀ ଦିନରେ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବ ଏବଂ ଏପରି ଘଟଣା ପୁନରାବୃତ୍ତି ହେବ ନାହିଁ, ଜେଲ୍ ଡିଆଇଜି କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ।
କେବଳ ବିଭାଗୀୟ ତଦନ୍ତ ସମସ୍ୟାର ସମାଧାନ କରିବ ନାହିଁ ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରି ଣୁ ମାମଲାକୁ ଗାଜିଆବାଦର ମୁଖ୍ୟ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କରିଛନ୍ତି । କ’ଣ ପାଇଁ ମୁକୁଳିବାରେ ବିଳମ୍ବ ହୋଇଛି, କେବଳ ଉପଧାରା ଉଲ୍ଲେଖ ନ ଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
କ’ଣ ରହିଥିଲା ମାମଲା ?
୨୯ ଏପ୍ରିଲରେ ଗାଜିଆବାଦ ଜେଲର ଜଣେ ଅଭିଯୁକ୍ତଙ୍କର ମାମଲାର ଶୁଣାଣି କରି ଜାମିନ ମଞ୍ଜୁର କରିଥିଲେ । ମେ ୨୭ ତାରିଖରେ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଉକ୍ତ ଅଭିଯୁକ୍ତଙ୍କୁ ଜୁନ ୨୪ ତାରିଖରେ ଜେଲରୁ ଛଡ଼ା ଯାଇଛି । ଅର୍ଥାତ ଜାମିନ ମିଳିବାର ୨୮ ଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ଜେଲରେ ରହିଥିଲେ ।