ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ମହାକାଶକୁ ଯାତ୍ରା କଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଭାରତୀୟ ସମୟ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିସନ-୪ ଆରମ୍ଭ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ ।
ସ୍ପେସଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରରୁ ଅନ୍ତରୀକ୍ଷକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ୩ ମହାକାଶଚାରୀ । ଏହା ସେହି ଐତିହାସିକ ସ୍ଥାନ ଯେଉଁଠାରୁ ୧୯୬୯ ମସିହାରେ ଆପୋଲୋ-୧୧ ମିଶନ ଅନ୍ତର୍ଗତ ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଉଡ଼ିଥିଲେ। ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ସହିତ ପୋଲାଣ୍ଡର ସ୍ଲାଭୋସ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରୀର ଟିବୋର୍ କାପୁ ଏବଂ ଆମେରିକାର ଅଭିଜ୍ଞ କମାଣ୍ଡର ପେଗି ହ୍ବିଟସନ ଏହି ମିଶନରେ ଅଛନ୍ତି।
ଏବେ ସମସ୍ତଙ୍କ ନଜର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ଉପରେ ରହିଛି, ଯିଏ ଚାରି ଦଶନ୍ଧି ପରେ ଭାରତର ଦ୍ୱିତୀୟ ମହାକାଶଚାରୀ ହୋଇଛନ୍ତି। ଏହି ଐତିହାସିକ ଉଡ଼ାଣ ଭାରତର ବୈଜ୍ଞାନିକ କ୍ଷମତାର ପ୍ରତୀକ।ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଭାରତୀୟ ବାୟୁସେନାର ଜଣେ ଅଭିଜ୍ଞ ପାଇଲଟ, ଏବଂ ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ୱିତୀୟ ଭାରତୀୟ ନାଗରିକ ହୋଇଛନ୍ତି। ରାକେଶ ଶର୍ମା ୧୯୮୪ରେ ସୋଭିଏତ୍ ମିଶନ ଅଧୀନରେ ଉଡ଼ିଥିଲେ। ମିଶନ ପୂର୍ବରୁ ଶୁକ୍ଳାଙ୍କୁ ଏକ ମାସରୁ ଅଧିକ ସମୟ ପାଇଁ କଠୋର କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହା ଦ୍ୱାରା ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।
ତେବେ ଏହା ହେଉଛି ଆକ୍ସିଅମ ୪, ନାସା ଓ ସ୍ପେସ୍ଏକ୍ସର ମିଳିତ ମିସନ । ପୂର୍ବରୁ ୬ ଥର ମିସନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିସନ ପୂର୍ବରୁ ବାତିଲ କରାଯାଇଥିଲା । ଆଜି ଏହା ଉତକ୍ଷେପଣ ହୋଇଛି । ନାସା, ଅକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ୍ଏକ୍ସର ମିଳିତ ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି।
ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପ୍ରାୟ ୧୪ ଦିନ ରହି ପୁଣି ପୃଥିବୀକୁ ଫେରିବ । ଏହା କେବଳ ଏକ ଯାତ୍ରା ନୁହେଁ ବରଂ ଏକ ୧୫ ଦିନିଆ ବୈଜ୍ଞାନିକ ମିଶନ। ପ୍ରାୟ ୧୪ ଦିନ ରହଣୀ ଭିତରେ ୩୧ ଦେଶର ୬୦ଟି ଏକ୍ସପେରିମେଣ୍ଟ କରାଯିବ, ଯାହା ମଧ୍ୟରୁ ୭ଟି ଭାରତ ଦ୍ୱାରା ପ୍ରସ୍ତାବିତ। ଏହା ଭାରତର ବୈଜ୍ଞାନିକ ଚିନ୍ତାଧାରା ଏବଂ ବିଶ୍ୱ ଗବେଷଣାରେ ଅବଦାନର ପ୍ରମାଣ।