ବାଣୀକ୍ଷେତ୍ର ଜଗତସିଂହପୁରର ଶକ୍ତିପୀଠ ମା ଶାରଳାଙ୍କ ମନ୍ଦିରରେ ପବିତ୍ର ହୋଲି ପର୍ବ ପାଳନ କରିବାର ନିଆରା ପରମ୍ପରା ରହିଛି l ଏଠାରେ ମା ଶାରଳାଙ୍କର ହୋଲି ପର୍ବ ପରେ ପରେ ପାଳନ ହୁଏ ଯମୁନା ସ୍ନାନ l ପ୍ରେମ, ସତ୍ୟ ଚେତନା ଓ ପ୍ରଭୁଙ୍କ କୃପାରେ ବିସ୍ମୃତ ହୋଇ କୃଷ୍ଣ ଗୋପାଳଜିଉଙ୍କ ସହିତ ଯମୁନା ସ୍ନାନ ଯାତ୍ରା କରିଥାନ୍ତି। ତେବେ ପ୍ରଭୁଙ୍କର ଏହି ବିଚିତ୍ର ଲୀଳା ଖେଳା ଭକ୍ତଙ୍କୁ ବେଶ ଆକର୍ଷିତ କରିଥାଏl
ଦୋଳ ପୁର୍ଣିମା ଦିନ ମାଙ୍କ ଆଦିପୀଠ ନିକଟ ଚରିକି ପଡିଆରେ ଆଖ ପାଖ ଅଂଚଳର ଦୋଳ ବିମାନ ଗୁଡ଼ିକର ମେଳଣ ହୁଏ l ସେଠାରେ ମା' ଶାରଳା ମଧ୍ୟ ଉପସ୍ଥିତ ରହି ମେଳଣ ଦେଖନ୍ତି। ଏପରିକି ମା 'ଶାରଳା ସେଠାରେ ରସିକ ନାଗର ଶ୍ରୀକୃଷ୍ଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି l ତା ପରଦିନ ହୋଲି ଖେଳ ପରେ କନକପୁର ମନ୍ଦିରକୁ ଆସିବାକୁ ନିମନ୍ତ୍ରଣ କରନ୍ତି l ସେହିଠାରେ ରସିକନାଗର କାହ୍ନl, ଗୋବିନ୍ଦଜିଉ ଓ ମାଙ୍କ ଦୋଳ ବିମାନ ଦୋଳ ବେଦିରେ ପହଂଚିବା ପରେ ଦିଅଁ ଓ ଠାକୁରାଣୀଙ୍କୁ ହଳଦୀପାଣି ଓ ସୋରିଷ ତେଲରେ ସ୍ନାନ କରାଯିବା ସହ ନୈବେଦ୍ୟ, ଆଳତୀ ଆଦି ଲାଗୁ କରାଯାଏ l
ଏହାପରେ ସେଠାରେ କୃଷ୍ଣଙ୍କର ଆରାଧନା ପୂର୍ବକ ଭଜନ ପରିବେଷଣ କରିଥାନ୍ତି ପୂଜକ ଏବଂ ସେବାୟତମାନେ। ଏହାପରେ ଆଲଟଚାମର ସେବାରେ ସେବାୟତମାନେ ଘଣ୍ଟ ଓ ବାଦ୍ୟଯନ୍ତ୍ର ବଜାଇ ଶୋଭାଯାତ୍ରାରେ ବାହାରନ୍ତି। ମନ୍ଦିର ସାମ୍ନାରେ ମା' ଙ୍କ ବିମାନ ସାମ୍ନାରେ ଗୋବିନ୍ଦଜିଉ ଓ ରସିକନାଗର ଶ୍ରୀକୃଷ୍ଣଙ୍କୁ ମା' ଶାରଳା ମେଲାଣି ଦେଇଥାନ୍ତି l ମାଙ୍କ ପୀଠରେ ବାର ମାସରେ ତେର ପର୍ବ ଭିତରୁ ଏହି ଯମୁନା ସ୍ନାନଏକ ଅନନ୍ୟ ପରମ୍ପରା l ଏହି ଯମୁନା ସ୍ନାନ ଦେଖିବା ପାଇଁ କାଇଁ କେତେ ଦୂରରୁ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ଆସିଥାନ୍ତିl