ଭୁବନେଶ୍ବର; ରାଜ୍ୟରେ କିନ୍ନରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜେପି ସରକାର ସେମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ‘କଲ୍ୟାଣ ବୋର୍ଡ’ ଗଠନ କରିଛନ୍ତି । ରାଜ୍ୟରେ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନ ନିମନ୍ତେ ଦୀର୍ଘବର୍ଷ ଧରି କିନ୍ନରମାନେ ଦାବି କରି ଆସୁଥିଲେ । ଓଡ଼ିଶା ସରକାର ୨୦୨୧ ମସିହାରେ କାର୍ଯ୍ୟକାରୀ କରିଥିବା ଓଡ଼ିଶା ଟ୍ରାନ୍ସଜେଣ୍ଡର ପର୍ସନ ପଲିସିରେ ‘ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ’ ବା କିନ୍ନର କଲ୍ୟାଣ ବୋର୍ଡ ପାଇଁ ପ୍ରାବଧାନ ରହିଥିଲା ।
ତେବେ ଦୀର୍ଘଦିନ ପରେ ଗଠିତ କଲ୍ୟାଣ ବୋର୍ଡରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣ ସଦସ୍ୟ ଏଥିରେ ରହିଛନ୍ତି । ଏଥିରେ ବିଭାଗୀୟ ସଚିବଙ୍କୁ ଉପାଧ୍ୟକ୍ଷ ଓ କିନ୍ନର ସମୁଦାୟର ୨ଜଣଙ୍କୁ ମଧ୍ୟ ସଦସ୍ୟ ରଖାଯିବାର ନିୟମ ରହିଛି । ଏହି ବୋର୍ଡର କାର୍ଯ୍ୟକାଳ ୩ବର୍ଷ ରହିବ । ଦେଶର ୨୦ତମ ରାଜ୍ୟ ଭାବେ ଓଡ଼ିଶାରେ କିନ୍ନର କଲ୍ୟାଣ ବୋର୍ଡ ଗଠନ କରାଯାଇଛି । ରାଜ୍ୟରେ କିନ୍ନରଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଗୁଡିକର ତଦାରଖ କରିବା ସହ ସେମାନଙ୍କର ଅଧିକାର ଓ ସୁରକ୍ଷା ଏହି ବୋର୍ଡ ଗଠନର ମୂଳ ଉଦ୍ଦେଶ୍ୟ।