ଭୁବନେଶ୍ବର : ଏକଦା ଯେଉଁମାନେ କ୍ଷମତା ଦେଖି ଶଙ୍ଖ ଆଡକୁ ମୁହାଁଉଁଥିଲେ ଆଜି ସେହି ନେତା ଶଙ୍ଖ ଛାଡି ଅନ୍ୟତ୍ର ଯିବା ପାଇଁ ଯୋଜନା କରୁଛନ୍ତି । ଗୋଟିଏ ପଟେ ପ୍ରଥମ କରି ଓଡ଼ିଶାରେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ଗୋଟିଏ ବର୍ଷ ପୂରଣ ହେବାକୁ ଥିବା ବେଳେ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ମଧ୍ୟ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଓଡ଼ିଶାରେ ୨୪ ବର୍ଷ ପର୍ଯ୍ୟନ୍ତ ଶାସନ ଭାରରେ ଥିବା ବିଜୁ ଜନତା ଦଳ ଧିରେ ଧିରେ ପାତାଳଗାମୀ ହେବାକୁ ଲାଗିଛି । ଅନ୍ତଃଦଳ କନ୍ଦଳ ଦଳ ବିରୋଧି କାର୍ଯ୍ୟ ପାଇଁ ପରାଜୟର ବର୍ଷକ ମଧ୍ୟରେ ଅନେକ ନେତା ଦଳଡିଆଁ ପର୍ବରେ ସାମିଲ ହେଉଛନ୍ତି ।
ସେହିପରି କିଛି ଦିନର ବ୍ୟବଧାନ ପରେ ଗତକାଲି ବିଜୁ ଜନତା ଦଳରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି । ରାଜ୍ୟସଭା ସାଂସଦ ମୁନା ଖାନ୍ ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଇସ୍ତଫା ଦେଇଥିବା କୁହାଯାଉଛି । ତେବେ ଏ ନେଇ ମୁନା ଖାନ୍ କିମ୍ବା ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ଧରିଛି ।
ତେବେ ଏହାରି ଭିତରେ ଖବର ଆସିଛି ଯେ, ଖୁବ ଶୀଘ୍ର ବସନ୍ତ ବିଶ୍ବାଳଙ୍କ ପୁଅ ଚିରଞ୍ଜୀବ ବିଶ୍ବାଳ ବିଜେଡି ଛଡିବେ । ସେ ଶଙ୍ଖ ଛାଡି ପୁଣି ଥରେ ହାତ ଧରିବେ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହାତକୁ ଏଡେଇ ଶଙ୍ଖ ଧରିଥିଲେ ଚିରଞ୍ଜୀବ କିନ୍ତୁ ସେ ଯେଉଁ ଆଶା ନେଇ ଆସିଥିଲେ ତାହା ମଉଳେଇ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ । ଜଗତସିଂହପୁରରେ ତାଙ୍କ ବଦଳରେ ଯେଉଁ ପ୍ରାର୍ଥୀକୁ ଭରସା କରିଥିଲା ସେ ବିଜେପି ଠାରୁ ପରାଜିତ ହୋଇଥିଲେ । ତେଣୁ ନିର୍ବାଚନ ପରଠୁ ଚିରଞ୍ଜୀବଙ୍କର ଶଙ୍ଖ ମୋହ ଛାଡିଯାଇଥିଲା। ଭକ୍ତ ଦାସ କଂଗ୍ରେସର ମଙ୍ଗ ଧରିବା ପରଠୁ ବିଜେଡିରେ ମିଶିଥିବା କଂଗ୍ରସ ନେତା ଏବେ ଘରକୁ ବାହୁଡୁଛନ୍ତି ।
ପୂର୍ବରୁ ଶଙ୍ଖ ଧରିଥିବା ନେତାମାନେ ଜାଣିସାରିଲେଣି ଯେ ବିଜେଡିରେ ଆଉ ଭବିଷ୍ୟତ ନାହିଁ । ତେଣୁ ଭବିଷ୍ୟତ ନଥିବା ଦଳରେ ରହି ଲାଭ କଣ ? ତେବେ ଭକ୍ତଙ୍କ ଓବିସି ବୈଠକରେ ସାନ ଭାଇ ରଞ୍ଜୀବ ବିଶ୍ବାଳଙ୍କୁ ଦେଖିବାକୁ ମିଳିଥିଲା । ସାନ ଭାଇ ଆସିଲେଣିମାନେ ବଡ଼ ଆସିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କେବଳ ଚିରଞ୍ଜୀବ ନୁହଁନ୍ତି ଆଗକୁ ଆହୁରି ଅନେକ ନେତା ବିଜେଡି ଛାଡିବାର ଆଶଙ୍କା ଦେଖାଯାଉଛି।